ସାଲେପୁର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ର ଓ ରାଜ୍ୟ ସରକାର କୃଷିର ବିକାଶ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୃଷି ଓ କୃଷକର ବିକାଶ ଦିଗରେ ଗୁରୁତ୍ୱ ଦେଉଥିବାବେଳେ ସାଲେପୁର ଅଂଚଳରେ ତାହାର ବ୍ୟତିକ୍ରମ ଦେଖାଦେଇଛି । ସାଲେପୁର ବ୍ଲକ୍ର କେନ୍ଦ୍ରାପଡ଼ା କେନାଲରୁ ବିଭିନ୍ନ ସ୍ଥାନରେ ବାହାରିଥିବା ୫ନଂ ଓ ୬ନଂ କେନାଲରୁ ବାହାରିଥିବା କାଡ଼ା ନାଳ ଗୁଡିକ ସଫା ନହେବା କାରଣରୁ ସଂପୂର୍ଣ୍ଣ ପୋତି ହୋଇଯାଇଛି । ଫଳରେ ଏହି କାଡ଼ା ନାଳ ଦେଇ ଚାଷଜମିକୁ ଯାଉଥିବା ପାଣି ଚାଷଜମିର ଶେଷ ମୁଣ୍ଡରେ ପହଂଚିପାରୁନାହିଁ । ଏହି କେନାଲର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସରକାର ବିଭିନ୍ନ ସ୍ଥାନରେ ପାଣିପଂଚାୟତ ଗଠନ କରାଯାଇ ପାଣିପଂଚାୟତ ମାଧ୍ୟମରେ ଏହିସବୁ କେନାଲ ଗୁଡିକର ସଫେଇ ଓ ମରାମତି କରାଯାଉଥିଲା । ଏବେ ପାଣିପଂଚାୟତର କାର୍ଯ୍ୟକାଳ ସରିଯାଇଥିବାରୁ ଚଳିତ ବର୍ଷ ଏହି କେନାଲଗୁଡିକ ଠିକ୍ ଭାବେ ସଫା କରାଯାଇନଥିବାରୁ କେନାଲର ଶେଷମୁଣ୍ଡରେ ଥିବା ଚାଷଜମିମାନଙ୍କୁ ପାଣି ପହଂଚିପାରୁନାହିଁ । ଚଳିତ ବର୍ଷ ଏହି ସବୁ କେନାଲ ମୁଖ୍ୟ କେନାଲ ଓ କାଡ଼ା କେନାଲ ସଫେଇ ପାଇଁ ସରକାରଙ୍କ ପକ୍ଷରୁ ଟେଣ୍ଡର କରାଯାଇଥିବାବେଳେ କାର୍ଯ୍ୟସଂପାଦନ ପାଇଁ ନିୟୋଜିତ ହୋଇଥିବା ଠିକାଦାର ରଠ ଭାବେ କାଡ଼ା କେନାଲକୁ ସଫେଇ କରି ଅର୍ଥ ଆତ୍ମସାତ୍ କରିଥିବାବେଳେ ଚାଷ ଜମିକୁ ପାଣି ମାଡ଼ିପାରୁନାହିଁ । ଫଳରେ ଚାଷୀମାନେ ବର୍ଷାଜଳ ପ୍ରତି ନିର୍ଭର କରୁଛନ୍ତି । ସରକାର ଏ ଦିଗରେ ଦୃଷ୍ଟି ଦେଇ ବିଭିନ୍ନ ସ୍ଥାନରେ ପୋତି ହୋଇଥିବା କାଡ଼ା ନାଳ ଗୁଡିକୁ ପୁନରୁଦ୍ଧାର କଲେ କୃଷି ଓ କୃଷକର ବିକାଶ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଓଡ଼ିଶା ସମାଚାର