ରାଉରକେଲା, ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ରାଉରକେଲା ଇସ୍ପାତ କାରଖାନାର ରୋଲ ସପ୍ ବିଭାଗରେ ନିକଟରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ ନିମନ୍ତେ ୩ ଜଣ ଠିକା ଶ୍ରମିକଙ୍କୁ ପୁରସ୍କୃତ କରାଯାଇଥିଲା । ରୋଲ ସପ୍ ବିଭାଗ ଡିଜିଏମ୍ ଇନଚାର୍ଜ କାର୍ତିକେୟ ବେହେରା ଉତ୍ସବରେ ଅଧ୍ୟକ୍ଷତା କରି ମେସର୍ସ ଇଂଟେକ୍ସ ଏଂଟରପ୍ରାଇଜେସର ୨ ଜଣ ଠିକା ଶ୍ରମିକ ଏବଂ ମେସର୍ସ ସନଟେକ୍ଟ ଏଂଟରପ୍ରେଇଜେସର ଜଣେ ଠିକା ଶ୍ରମିକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ । ନିଜର ବକ୍ତବ୍ୟରେ ଶ୍ରୀ ବେହେରା ଠିକା ଶ୍ରମିକଙ୍କୁ ଏହି ପ୍ରଶଂସନୀୟ ପ୍ରୟାସ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । ସେ ଠିକା ଶ୍ରମିକମାନଙ୍କୁ ଉତମ କାର୍ଯ୍ୟଧାରା ଜାରି ରଖିବା ପାଇଁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଅନୁରୂପ କାର୍ଯ୍ୟ କରିବା ନିମନ୍ତେ ଅନୁପ୍ରେରିତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ପ୍ରକାଶଯୋଗ୍ୟ ଯେ, ହଟ ଷ୍ଟ୍ରିପ ମିଲ ବିଭାଗର ଆର୨ ଷ୍ଟାଣ୍ଡ ୱାର୍କ ରୋଲରେ ବିୟରିଙ୍ଗ ଫେଳର ବାରମ୍ବାର ଅନୁଭୂତ ହେଉଥିଲା । ଏହାର ପୁନରାବୃତିକୁ ରୋକିବା ନିମନ୍ତେ ଏକ୍ସିଆଲ ଲୋଡ କମ କରିବା ପାଇଁ ବେକ ଅପ୍ ରୋଲ ଆସେମ୍ଲିୱେର ଲାଇନରେ ମୋଟେଇ ଡ୍ରଇଂ ସାଇଜରୁ ୧ ମିଲିମିଟର ବୃଦ୍ଧି କରାଯାଇଥିଲା । କିନ୍ତୁ ହଟ ଷ୍ଟ୍ରିପ୍ ମିଲ ଆର୨ ଷ୍ଟାଣ୍ଡ ବେକ ଅପ ରୋଲର ନିର୍ଦ୍ଧାରିତ ପରିବର୍ତନ ସମୟରେ ଆଂଶିକ ପରିବର୍ତିତ ବେକ ଅପ ରୋଲ ଆସେମ୍ଲିୱେର ଓଭର ସାଇଜ ହେଉଥିବା ଏବଂ ମିଲ ହାଉସିଂରେ ପ୍ରବେଶ କରିବା କ୍ଷେତ୍ରରେ ଅସୁବିଧା ଦେଖାଗଲା । ଏହାର ସଂଶୋଧନ ପଦକ୍ଷେପ ସ୍ୱରୂପ ରୋଲ ୱେର ଲାଇନରକୁ ମିଲ ପିଟରେ ସେହି ସ୍ଥାନରେ ପଲିସ କରିବା ପାଇଁ ନିଷ୍ପତି ନିଆଗଲା । ମିଲର ନିର୍ଦ୍ଧାରିତ ଆରମ୍ଭ ସମୟ ପୂର୍ବରୁ ଉପଲବ୍ଧ ସିମିତ ସମୟକୁ ଦୃଷ୍ଟିରେ ରଖି ପୁରସ୍କୃତ ଠିକା ଶ୍ରମିକମାନେ ଉଦାହରଣୀୟ ପ୍ରତିବଦ୍ଧତାର ପ୍ରଦର୍ଶନ କରି ବେକ ଅପ୍ ରୋଲ ୱେର ଲାଇନର ପଲିସ କରିଥିଲେ ଏବଂ କାର୍ଯ୍ୟକୁ ଦୁଇ ଘଂଟା ମଧ୍ୟରେ ଶେଷ କରିଥିଲେ । ଉକ୍ତ ପ୍ରଶଂସନୀୟ ପ୍ରୟାସର ଫଳସ୍ୱରୂପ ମିଲ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାରମ୍ଭ କରିଥିଲା । ଓଡ଼ିଶା ସମାଚାର