Sunday , October 1 2023
Home / ବିଶେଷ / ୬୧୫ ଫୁଟ ଉପରେ ହୀରାକୁଦ ଜଳସ୍ତର – ଆଗକୁ ରାଜ୍ୟବ୍ୟାପୀ ବନ୍ୟା ଆଶଙ୍କା

୬୧୫ ଫୁଟ ଉପରେ ହୀରାକୁଦ ଜଳସ୍ତର – ଆଗକୁ ରାଜ୍ୟବ୍ୟାପୀ ବନ୍ୟା ଆଶଙ୍କା

ସମ୍ବଲପୁର, ୧୩/୮/୨୦୧୯(ଓଡ଼ିଶା ସମାଚାର)- ଲଗାଣ ବର୍ଷା ବନ୍ୟା ସ୍ଥିତିକୁ ଡାକରା ଦେଲାଣି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ଆରମ୍ଭ କଲାଣି । ଡ୍ୟାମର ଜଳଧାରଣା କ୍ଷମତାର ୬୩୦ ଫୁଟ ହୋଇଥିବା ବେଳେ ଏବେ ଡ୍ୟାମର ଜଳସ୍ତର ୬୧୫.୭୭ ଫୁଟରେ ପହଂଚିଛି । ତେବେ ୬୩୦ରେ ପହଂଚିବାକୁ ଆଉ ଅଧିକ ସମୟ ଲାଗିବନି । ଚାରି ପାଂଚ ଦିନର ଲଗାଣ ବର୍ଷା ରାଜ୍ୟରେ ବନ୍ୟା ସ୍ଥିତିକୁ ଆମନ୍ତ୍ରଣ କରିବାକୁ ସମର୍ଥ । ଡ୍ୟାମର ଏବେକାର ସ୍ଥିତିକୁ ଅନୁଧ୍ୟାମ କଲେ ଏହା ସ୍ପଷ୍ଟ ଯେ ସ୍ୱାଭାବିକ ଭାବେ ଯେତିକି ଜଳ ସଂରକ୍ଷଣ ହେବା କଥା ତାହାଠାରୁ ଢେର ଅଧିକା ସଂରକ୍ଷିତ ହୋଇଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୦ହଜାର ୩୬୪ ଘନଫୁଟ୍ ପାଣି ପଶୁଥିବା ବେଳେ ୧୮ହଜାର ୮୫୭ ଘନଫୁଟ୍ ପାଣି ନିଷ୍କାସନ ହେଉଛି । ଅର୍ଥାତ ୭୧ହଜାର ୫୦୭ ଘନଫୁଟ୍ ପାଣି ସବୁବେଳେ ମହଜୁଦ୍ ରହୁଛି । ଏହାବ୍ୟତୀତ ସଂରକ୍ଷିତ ଜଳ ମଧ୍ୟ ସ୍ଥାୟୀ ଭାବେ ପଡ଼ି ରହେନି । ସଂରକ୍ଷିତ ଜଳ ମଧ୍ୟରୁ ଜଳବିଦ୍ୟୁତ୍ କେନ୍ଦ୍ରର ଆବଶ୍ୟକତା ପାଇଁ ୧୫ ହଜାର ୧୩୨ ଘନଫୁଟ ଜଳ ନିଷ୍କାସିତ ହେଉଛି । ସେହିପରି କେନାଲ ବାଟେ ୩ ହଜାର ୫୫୫ ଘନଫୁଟ୍ ଜଳ ବାହାରକୁ ଯାଉଥିବା ବେଳେ କଳକାରଖାନା ପାଇଁ ୧୭୦ କ୍ୟୁସେକ୍ ଜଳ ବ୍ୟବହୃତ ହେଉଛି । ଗତ ରବିବାର ସକାଳୁ ସୋମବାର ସକାଳ ସୁଦ୍ଧା ଡ୍ୟାମ୍ ଉପରମୁଣ୍ଡ ଓ ତଳମୁଣ୍ଡରେ ହାରାହାରି ବୃଷ୍ଟିପାତ ଯଥାକ୍ରମେ ୬.୮୯ ଓ ୩୦.୦୫ ମିଲିମିଟର ରେକର୍ଡ କରାଯାଇଥିଲା । ତଳମୁଣ୍ଡ ବେଲଗାଁରେ ୩୫.୬, ଖଇରମାଲରେ ୨୪.୨, ବରମୁଳରେ ୩୦ ଏବଂ ମୁଣ୍ଡୁଳିରେ ୨.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୁଣ୍ଡୁଳି ଠାରେ ମହାନଦୀରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୫ ହଜାର ୫୪୮ ଘନଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ଏହା ଆହୁରି ଅଧିକ ହେବା ଆକଳନ କରାଯାଉଛି । ଲଗଣା ବର୍ଷା ଯୋଗୁଁ ଚଳିତ ମାସ ୧୪ ତାରିଖରେ ଡ୍ୟାମର ଗେଟ୍ ଖୋଲାଯିବ ବୋଲି ଡ୍ୟାମ୍ କର୍ତୃପକ୍ଷ କହିଛନ୍ତି । ତେବେ ପ୍ରକୃତରେ ଜଳସ୍ତର କେତେ ହେଲେ ବନ୍ୟା ସ୍ଥିତି ହେବା ଅବସମ୍ଭାବୀ ବୋଲି କୁହାଯିବ ତାହା ଏବେ ସମୀକ୍ଷାର ବିଷୟବସ୍ତୁ । ଡ୍ୟାମର ଜଳଧାରଣ କ୍ଷମତା ୬୩୦ କୁହାଯାଉଥିଲେ ମଧ୍ୟ ଏହାଠାରୁ ସାମାନ୍ୟ ଅଧିକ ଜଳକୁ ଧାରଣା କରିବା ସମ୍ଭବପର । ଏହାକୁ ଟପ୍ ଡ୍ୟାମ୍ ଲେବଲ୍ ବା ଡ୍ୟାମର ଶୀର୍ଷ ସ୍ତର ବୋଲି କୁହାଯାଏ । ହୀରାକୁଦ ଡ୍ୟାମ କ୍ଷେତ୍ରରେ ଶୀର୍ଷ ସ୍ତର ୪୬୨ ଫୁଟ । ଅର୍ଥାତ ସର୍ବାଧିକ ୬୪୨ ଫୁଟ ପର୍ଯ୍ୟନ୍ତ ଜଳଧାରଣ କରିବା ସମ୍ଭବ । ଏହାଠାରୁ ଅଧିକ ଜଳ ହେଲେ ବନ୍ୟା ହୋଇପାରେ । ଗେଟ୍ ଖୋଲି ବନ୍ୟା ସ୍ଥିତିକୁ ରୋକିବା ମଧ୍ୟ ସମ୍ଭବ ହେବ ନାହିଁ । ସାଧାରଣତଃ ହୀରାକୁଦର ଡେଡ୍ ଷ୍ଟୋରେଜ୍ ଲେବଲ୍ ୫୯୦ ଫୁଟ । ସହଜ ଭାଷାରେ କହିଲେ ଜଳସ୍ତର ୫୯୦ଫୁଟ ଛୁଇଁବା ମାତ୍ରେ କର୍ତୃପକ୍ଷ ଗେଟ୍ ଖୋଲିବାକୁ ବାଧ୍ୟ । ଗେଟ୍ ଖୋଲି ଜଳସ୍ତରକୁ କମେଇ ହେବ । ହେଲେ ଯଦି ଜଳସ୍ତର କ୍ରମାଗତ ଭାବେ ବଢ଼ିବ ତେବେ ହୀରାକୁଦ ବାହାରକୁ ନିଷ୍କାସିତ ହେଉଥିବା ଜଳ ସର୍ବପ୍ରଥମେ ତଳିଆ ଅଂଚଳକୁ ଧ୍ୱଂସ କରିବ । ୪.୮ କିଲୋମିଟର ଅଂଚଳରେ ବିସ୍ତୃତ ମୁଖ୍ୟ ଡ୍ୟାମରେ ଜଳର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ କୃତିମ ହ୍ରଦ ମଧ୍ୟ ରହିଛି । ହ୍ରଦରେ ଜଳସ୍ତର ମଧ୍ୟ ନିର୍ଦ୍ଧାରିତ ସୀମାରେ ରହିବାର ଅଛି, ନହେଲେ ଜଳପ୍ରବାହର ବାଡ଼ବତା ରହିବନି । ଲଘୁଚାର ପ୍ରଭାବରେ ହେଉଥିବା ବର୍ଷା ଆଗାମୀ ଦିନରେ ସମସ୍ୟା ବଢ଼ାଇପାରେ । ଏଭଳି ସ୍ଥିତି ଉପୁଜିପାରେ ଯାହା ସରକାରଙ୍କ ନିୟନ୍ତ୍ରଣାଧୀନ ନୁହେଁ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *