ସାଲେପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ଅଂଚଳର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ଜଣ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ସେହିପରି ଘର ଉପରେ ବଜ୍ରପାତ ଘଟି ଘର ମଧ୍ୟରେ ଥିବା ବିଦ୍ୟୁତ୍ ସଂରଜାମ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ମହଣ ପଂଚାୟତ ପୁରଣ ଗ୍ରାମର ନମିତା ମଲିକ(୪୮), ଅମୂଲ୍ୟ ସାମଲ(୫୨), ରଂଜିତା ବେହେରା(୪୮), ଲିପିକା କାଣ୍ଡି(୨୬), ଧ୍ରୁବଚରଣ ସାମଲ(୫୩), ମଂଜୁଶ୍ରୀ ସାମଲ(୪୫), ମିନତୀ ବେହେରା(୩୬) ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ସମସ୍ତେ ଅଚେତ୍ ହୋଇପଡିଥିଲେ । ପାଖରେ କାମ କରୁଥିବା ଅନ୍ୟ ଲୋକମାନେ ସଂଗେ ସଂଗେ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରିଥିବାବେଳେ ନମିତା ମଲିକ ଓ ଅମୂଲ୍ୟ ସାମଲଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ସେହିପରି ରାଇସୁଙ୍ଗୁଡ଼ା ଅଂଚଳର ସୁବାସ ବେହେରା(୪୩) ବିଲରେ କାମ କରୁଥିବାବେଳେ ବଜ୍ରପାତ ଘଟିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ରାଇସୁଙ୍ଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ମିର୍ଜାପୁର ପଂଚାୟତ ମାତନଗର ଗ୍ରାମର ହରିହର ଦାସଙ୍କ କୋଠାଘର ଉପରେ ବଜ୍ରପାତ ଘଟିବାରୁ ଘର କାନ୍ଥଟି ଫାଟିଯାଇଥିବାବେଳେ ଘର ମଧ୍ୟରେ ଥିବା ଟିଭି, ଫ୍ରିଜ୍, ଇନ୍ଭର୍ଟର, ଫ୍ୟାନ୍ ଓ ଅନ୍ୟାନ୍ୟ ବିଦ୍ୟୁତ୍ ସଂରଜାମ ପୋଡ଼ି ନଷ୍ଟ ହୋଇଯାଇଥିବାବେଳେ ଏହି ଘର ମଧ୍ୟରେ ଥିବା କୌଣସି ବ୍ୟକ୍ତିଙ୍କର କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି । ଓଡ଼ିଶା ସମାଚାର