ଗରଦପୁର, ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଅଂଚଳରେ ଥିବା ମୁସଲମାନ୍ ବସ୍ତିମାନଙ୍କରେ ଗତ କାଲି ଶାନ୍ତି ଶୃଙ୍ଖଳାର ସହିତ ଇଦ୍-ଉଲ୍-ଜୁହା ପର୍ବ ପାଳିତ ହୋଇଯାଇଛି । ଏଥିପାଇଁ ସମଜିଦ୍ରେ ସାମୁହିକ ନମାଜ ପାଠର ବ୍ୟବସ୍ଥା କରାଯାଇଥିଲା । ପାଟକୁରା ଠାରେ ଥିବା ତଏତୁଲ୍ ମସଜିଦ୍ରେ ମୁସଲମାନ ଭାଇମାନଙ୍କ ପକ୍ଷରୁ ସାମୁହିକ ନମାଜ ପାଠ କରାଯାଇଥିଲା । ମସଜିଦ୍ର ମୌଲବୀ ସମସ୍ତଙ୍କୁ ନମାଜ ପାଠ କରାଇଥିଲେ । ବସ୍ତିର ମୁରବୀ ଶେଖ୍ ଫଜୁଲ୍ ହକ୍,ଅବଦୁଲ ରସିଦ୍ ଖାଁ,ଶେଖ୍ ଲ୍ୟାକୁଦ୍ଦିନ୍ ପ୍ରମୁଖ ଉପସ୍ଥିତ ରହି ପରସ୍ପରକୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ । ସେହିପରି ପାଟକୁରା ମେଡିକାଲ ନିକଟରେ ଥିବା ଅନ୍ୟ ଏକ ବରେଲି ନାମକ ମସଜିଦ୍ରେ ମଧ୍ୟ ଇଦ୍-ଉଲ୍-ଜୁହା ପର୍ବ ପାଳିତ ହୋଇଯାଇଛି । ଏହି ମସଜିଦ୍ରେ ସାମୁହିକ ନମାଜ ପାଠ କରାଯିବା ପରେ ଉପସ୍ଥିତ ମୁସଲମାନ ଭାଇମାନେ ପରଷ୍ପରକୁ ଅଭିନନ୍ଦନ ଜଣାଇଥିଲେ । ନୂଆପଡା ଠାରେ ଥିବା ସ୍ୱଳ୍ପ ସଂଖ୍ୟକ ମୁସଲମାନ ପରିବାରଙ୍କ ପକ୍ଷରୁ ଗତ କାଲି ଇଦ୍-ଉଲ୍-ଜୁହା ପର୍ବ ପାଳିତ ହୋଇଯାଇଛି । ବର୍ଷା ଓ ବିଜୁଳି ସତ୍ୱେ ମୁସଲମାନ ପରିବାରମାନଙ୍କ ପକ୍ଷରୁ ଏହି ଇଦ୍-ଉଲ୍-ଜୁହା ପର୍ବ ପାଳନ କରାଯାଇଥିଲା । ଏଥି ପର୍ବ ପାଇଁ ମସଜିଦକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା । ସେହିପରି ତେଣ୍ଡାକୁଡ଼ା, ନୟନପୁର ଓ ପଳସୁଧା ରେ ମଧ୍ୟ ଏହି ଉତ୍ସବ ପାଳନ କରାଯାଇଥିଲା । ଓଡ଼ିଶା ସମାଚାର