ସାଲେପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଗତ ସାଧାରଣ ନିର୍ବାଚନ ସମୟରେ ଅର୍ଥାତ୍ ତା.୨୭ ।୦୪ ।୧୯ରିଖ ଦିନ ପ୍ରାୟ ୧୧.୪୫ମି ସମୟରେ ଖଇରାସ୍ଥିତ ରିଲିଆନ୍ସ ପେଟ୍ରୋଲ ପମ୍ପରୁ ନିର୍ବାଚନ କମିଶନଙ୍କ ନିର୍ଦେଶକ୍ରମେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ଉ କରି ଉକ୍ତ ପେଟ୍ରୋଲ ପମ୍ପରୁ ୭ଲକ୍ଷ ୪୧ହଜାର ୮୯୦ଟଙ୍କା ଜବତ କରିଥିଲେ । ଏହି ଅର୍ଥର ପୁଙ୍ଖାନୁପୁଙ୍ଖ ତର୍ଜମା କଲାପରେ କଟକ ଜିଲ୍ଲାପାଳ ପେଟ୍ରୋଲ ପମ୍ପ୍ ମାଲିକଙ୍କୁ ଫେରସ୍ତ କରିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଗତ ସାଧାରଣ ନିର୍ବାଚନ ସମୟରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରାଙ୍କ ପେଟ୍ରୋଲ ପମ୍ପ୍ ଉପରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ଉ କରି ୭ଲକ୍ଷ ୪୧ହଜାର ୮୯୦ଟଙ୍କାକୁ ଜବତ କରିଥିଲେ । ସେତେବେଳେ ପେଟ୍ରୋଲ ପମ୍ପର କ୍ୟାସିୟର ଉକ୍ତ ଟଙ୍କାର ସଠିକ୍ ହିସାବ ଦେଇପାରିନଥିବାରୁ ଏହି ଟଙ୍କାକୁ ଜବତ କରି ଜଗତପୁର ପୋଲିସ ଜିମା ଦିଆଯାଇଥିଲା । ଏହାନେଇ ଗତ ତା.୦୮ ।୦୫ ।୧୯ରିଖରେ ପୂର୍ବତନ ବିଧାୟକ ଶ୍ରୀ ବେହେରାଙ୍କ ପକ୍ଷରୁ ସମସ୍ତ କାଗଜପତ୍ର ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରି ଦର୍ଶାଇଥିଲେ ଯେ ତା.୨୬ ।୦୪ ।୧୯ରିଖରେ ୩ଟି ସିଫ୍ଟରେ ମୋଟ୍ ୬ଲକ୍ଷ ୯୧ହଜାର ୧୩୯ଟଙ୍କାର ଯେଉଁ ବ୍ୟବସାୟ ହୋଇଥିଲା । ତା.୨୭ ।୦୪ ।୧୯ରିଖରେ ବ୍ୟାଙ୍କ୍ ବନ୍ଦ ରହିଥିବାରୁ ତାହା ବ୍ୟାଙ୍କରେ ଜମା ହୋଇପାରିନଥିଲା । ଯାହା ଫଳରେ ସମସ୍ତ ଟଙ୍କା ପେଟ୍ରୋଲ ପମ୍ପରେ ଗଚ୍ଛିତ ଥିଲା ଏବଂ ପେଟି କ୍ୟାସ୍ ରୂପେ ଅତିରିକ୍ତ ୫୦ହଜାର ଟଙ୍କା ଗଚ୍ଛିତ ଥିବା ସେ ଦର୍ଶାଇଥିଲେ ।ଏହାପରେ ଗତ ତା.୧୨ ।୦୬ ।୧୯ରିଖରେ କଟକ ଜିଲ୍ଲାପାଳଙ୍କ ରେସିଡେନସିଆଲ ଅଫିସରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନ୍ୟାନ୍ୟ ଅଧିକାରୀମାନେ ସମସ୍ତ କାଗଜପତ୍ର ଯାଂଚକଲାପରେ ଏହି ଅର୍ଥ ଫେରସ୍ତ କରାଯାଇଥିବା ଜଣାଯାଇଛି । ଓଡ଼ିଶା ସମାଚାର