ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଶିକ୍ଷା ଦେବାପାଇଁ ଶିକ୍ଷା ଅଧିକାର ଆଇନରେ ବ୍ୟବସ୍ଥା କରାଯାଇଥିଲା । କିନ୍ତ ଦିନକୁ ଦିନ ସରକାର ଦରମା, ପରୀକ୍ଷାଫିସ୍ ଓ ଅନ୍ୟାନ୍ୟ ଫିସ୍ ବଢାଇବାରେ ଲାଗିଛନ୍ତି । ଯାହାଫଳରେ ସାଧାରଣ ପିଲାମାନେ ସାର୍ବଜନୀନ ଶିକ୍ଷାରୁ ବଂଚିତ ହେବେ । ଆଜି ସରକାର ସି.ବି.ଏସ୍.ଇ. ର ୧୦ମ ଓ ୧୨ଶ ଶ୍ରେଣୀର ପରୀକ୍ଷା ଫିସ୍, ମାଇଗ୍ରେସ୍ ଫିସ୍ ଇତ୍ୟାଦି ବୃଦ୍ଧି କରିଛନ୍ତି । ଏହା ସାର୍ବଜନୀନ ଶିକ୍ଷା ଆଇନ୍ ଓ ସମସ୍ତଙ୍କୁ ମାଗଣା ଶିକ୍ଷା ଦେବାର ବିରୋଧି ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ଅଭିଯୋଗ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମାନବ ସମ୍ବଳ ବିଭାଗ ମନ୍ତ୍ରୀ ଡଃ ରମେଶ ପୋଖରିୱାଲ୍ (ନିସଙ୍କ) ଙ୍କୁ ଏକ ଚିଠି ଲେଖି ତୁରନ୍ତ ଏହି ବଦ୍ଧିତ ଫିସ୍କୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ଦଳିତ ଓ ଆଦିବାସୀ ଜାତିର ୧୦ମ ଓ ୧୨ଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଫିସ୍ ୫୦ ଟଙ୍କା ଥିଲା । ଏହାକୁ ସରକାର ୭୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିଭଳି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫିସ୍ ୭୫୦ ଟଙ୍କା ଥିଲା, ତାହାକୁ ଦୁଇଗୁଣା କରି ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମାଇଗ୍ରେସନ୍ ଫିସ୍ ମଧ୍ୟ ଯାହା ୧୫୦ ଟଙ୍କା ଥିଲା ତାହାକୁ ସି.ବି.ଏସ୍.ଇ. କର୍ତୃପକ୍ଷ ୩୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଗୋଟିଏପଟେ ସରକାର ଯୋଗାଇ ଦେଉଥିବା ପୁସ୍ତକର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ସେହିଭଳି ନାମଲେଖା ଫିସ୍ ଉପରେ ମଧ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ସ୍କୁଲ୍ କର୍ତୃପକ୍ଷ ମନମୁଖି ଭାବରେ ପ୍ରତିବର୍ଷ ନାମଲେଖା ଓ ଦରମା ଫିସ୍ ବଢେଇ ଚାଲିଛନ୍ତି । ସରକାରଙ୍କ ଦ୍ୱାରା ପରୀକ୍ଷା ଫିସ୍ ଓ ମାଇଗ୍ରେସନ୍ ଫିସ୍ର ବୃଦ୍ଧି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ବୋଝ ଉପରେ ଲଳିତାବିଡା ସଦୃଶ ହେବ । ତେଣୁ ତୁରନ୍ତ ଏହି ବର୍ଦ୍ଧିତ ଫିସକୁ ପ୍ରତ୍ୟାହାର କରିବାକୁ ଶ୍ରୀ ବେହେରା ମାନବ ସମ୍ବଳ ମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଦାବି କରିଛନ୍ତି । ଓଡ଼ିଶା ସମାଚାର