Monday , September 25 2023
Breaking News
Home / ବିଶେଷ / ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ

ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ

ପୁରୀ , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଶନିବାର ସଂଧ୍ୟାରେ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସମେତ ଶ୍ରୀଜଗନ୍ନାଥ ବଲ୍ଲଭ ଓ ରାଧାବଲ୍ଲଭ ମଠରେ ଝୁଲଣ ଆରମ୍ଭ ହୋଇଥିବାବେଳେ ରବିବାର ଠାରୁ ଅନ୍ୟାନ୍ୟ ମଠ ବାଡ଼ିରେ ଏହି ଯାତ୍ରା ଅନୁଷ୍ଠିତ ହେବ । ଝୁଲଣ ଅବସରରେ ଝୁଲଣ କୁଂଜରେ ଝୁଲିଛନ୍ତି ଲକ୍ଷ୍ମୀ,ସରସ୍ୱତୀ ଓ ମଦନମୋହନ । ଝୁଲଣ ପାଇଁ ଶ୍ରୀମନ୍ଦିରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ପରେ ତିନିବାଡ଼ରେ ସର୍ବାଙ୍ଗ ଲାଗି ସହ ବେଶ କରାଯାଇଥିଲା । ମହାଜନମାନେ ସିଂହାସନରୁ ଲକ୍ଷ୍ମୀ ସରସ୍ୱତୀଙ୍କୁ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ଖଟ ଶେଜରେ ବିଜେ କରାଇଥିଲେ । ପୁଜାପଣ୍ଡା ସାମନ୍ତ ମାଣ୍ଡୁଅ ଭୋଗ ଅର୍ପଣ କରିଥିଲେ । ତିନି ବାଡ଼ରେ ଆଳତୀ ହେବା ପରେ ତିନି ମୂର୍ତୀଙ୍କୁ ଝୁଲଣ ମଣ୍ଡପ ଦୋଳିକୁ ଅଣାଯାଇଥିଲା । ପରେ ଠାକୁରଙ୍କୁ ବିଡ଼ିଆପାନ ମଣୋହି କରାଯାଇଥିଲା । ସଂଧ୍ୟାଧୂପ ବଢିବା ପରେ ଝୁଲଣରେ ପଂଚୋପଚାରରେ ପୂଜା ଅନୁଷ୍ଠିତ ହୋଇ ବନ୍ଦାପନା କରାଯାଇଥିଲା । ମନ୍ଦିର ମଧ୍ୟରେ ଚନ୍ଦନ ଳାଗି ସରିବା ପରେ ଝୁଲଣ କୁଂଜରେ ମହାଜନମାନେ ମଇଲମ କରି ମଦନମୋହନଙ୍କୁ ଦକ୍ଷିଣଘର ଓ ଦୁଇ ଠାକୁରାଣୀଙ୍କୁ ଗର୍ଭ ଗୃହକୁ ବିଜେ କରାଇଥିଲେ । ସେହିଭଳି ଜଗନ୍ନାଥବଲ୍ଲଭ ଓ ରାଧାବଲ୍ଲଭ ମଠରେ ଶନିବାର ଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *