ଭୁବନେଶ୍ୱର,୧୧/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏଚଆଇଭି ସଂକ୍ରମଣ ଏବଂ ଯୁବଗୋଷ୍ଠୀଙ୍କୁ ନିଜ ଶାରୀରିକ ସୁସ୍ଥତା ପ୍ରତି ସଚେତନ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ତରଫରୁ ରାଜ୍ୟବ୍ୟାପୀ ଚଳିତ ଅଗଷ୍ଟ ୧୨ ତାରିଖରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୨୦୩୦ ସୁଦ୍ଧା ଏଚଆଇଭି ଏଡ଼ସକୁ ସମାପ୍ତ କରିବାର ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ କରିବା ନିମନ୍ତେ ଓସାକ୍ସ ତରଫରୁ ରାଜ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ ଯୁବ ଦିବସ ଅବସରରେ ଏସବିଆଇ ସହଯୋଗରେ ବାଲୁକା କଳା ଜରିଆରେ ସଚେତନତାର ବାର୍ତା ପ୍ରଦାନ କରାଯିବ । ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ୧୫ ଲକ୍ଷ ଲୋକଙ୍କ ମୋବାଇଲକୁ ସଚେତନା ବର୍ତା, ୟୁଟ୍ୟୁବ ଲାଇଭ୍ ଫୋନ ଇନ୍ କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏଚଆଇଭି ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଅନେକ ସ୍ଥାନରୁ ଗୋଟିଏ ଫୋନରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶ୍ନର ଉତର (ମଲ୍ଟି ଲୋକେସନ ଅଡିଓ କନଫରେନ୍ସ), ସ୍ୱାସ୍ଥ୍ୟ ଶିବିର ଆଦିର ଆୟୋଜନ କରାଯିବ । ସେହିଭଳି ଜିଲ୍ଲା ସ୍ତରରେ ପଦଯାତ୍ରା, ସାଧାରଣ ସଭା ଏବଂ ପିଲାମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି ଅବସରରେ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଚ୍ଆଇଭି/ଏଡ୍ସ ନିରାକରଣ ସମ୍ପର୍କିତ କାନ୍ଭାସ ପେନ୍ଟିଂ ପ୍ରତିଯୋଗିତା, ଅଗଷ୍ଟ ୧୧ ତାରିଖରେ ରେଡ୍କ୍ରସ ସୋସାଇଟିର ମିଳିତ ସହଯୋଗରେ ବିଭିନ୍ନ କଲେଜର ରେଡ ରିବନ କ୍ଲବର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇ ଏଚଆଇଭି ସଚେତନତାର ବାର୍ତା ପହଂଚାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ । କୃତୀ ପ୍ରତିଯୋଗୀମାନଙ୍କୁ ଅଗଷ୍ଟ ୧୨ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ପରାମର୍ଶକ୍ରମେ ଓସାକ୍ସ ପ୍ରକଳ୍ପ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆନ୍ତର୍ଜାତିକ ଯୁବ ଦିବସ ପାଳନକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଓସାକ୍ସ ସହିତ ରିଲାଏନ୍ସ ଫାଉଣ୍ଡେସନ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମହାନଦୀ କୋଲ ଫିଲ୍ଡ ସହଯୋଗର ହାତ ବଢାଇଛନ୍ତି । ଓଡ଼ିଶା ସମାଚାର