ପଟ୍ଟାମୁଣ୍ଡାଇ, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ସଂସଦରେ ଟ୍ରିପଲ୍ ତଲାକ୍ କୁ ଅସିଦ୍ଧ ଘୋଷଣା ଏବଂ ଏହାକୁ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବା ପରେ ମଧ୍ୟ ଫୋନ୍ ଯୋଗେ ସ୍ୱାମୀ ତଲାକ୍ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗିନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳରୁ । ଏନେଇ ସମ୍ପୃକ୍ତ ମହିଳା ଜଣକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତ ୭ ବର୍ଷ ତଳେ ମହିଳା ଜଣକ ପଟ୍ଟାମୁଣ୍ଡାଇ ଅଂଚଳର ଆବୁ ସୁଫିଆ ଖାନ୍ ଙ୍କୁ ବିବାହ କରିଥିଲେ । ଏହାପରେ ସେମାନେ ୬ ମାସ ହାଇଦ୍ରାବାଦରେ ରହିଥିଲେ । ହେଲେ ମହିଳା ଜଣକ ଗର୍ଭବତୀ ହେବା ପରେ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ଗାଁରେ ଛାଡି ଚାଲି ଯାଇଥିଲେ । ପରବର୍ତୀ ସମୟରେ ଶାଶୂଘର ଲୋକଙ୍କ ନିର୍ଯାତନା ସମ୍ପର୍କରେ ସେ ସ୍ୱାମୀଙ୍କୁ ଜଣାଇଥିଲେ ସୁଦ୍ଧା ସ୍ୱାମୀ ତାଙ୍କୁ ବାପ ଘରକୁ ଚାଲିଯିବାକୁ କହିଥିଲେ । ତେବେ କିଛି ଦିନ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ଫୋନ ରେ ତଲାକ ଦେଇଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି । ଓଡ଼ିଶା ସମାଚାର