ନୂଆଦିଲ୍ଲୀ / ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପ୍ରେସ୍ଡ଼ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଭାରତରେ ସ୍ଥାୟୀ ଉର୍ଜା ଭବିଷ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଷ୍ଟିକୋଣ ରହିଛି । ୨୦୨୨ ସୁଦ୍ଧା ତୈଳ ପଦାର୍ଥରେ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟକୁ ଲକ୍ଷ୍ୟ ଦେଇଥିବା ବେଳେ ଉତ୍ପାଦନକୁ ବୃଦ୍ଧି କରିବା, ଉର୍ଜା ଦକ୍ଷତାରେ ସୁଧାର, ସଂରକ୍ଷଣ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ମାଧ୍ୟମରେ ଏହାକୁ ହାସଲ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାର ଉର୍ଜାର ବୈକଳ୍ପିକ ସ୍ରୋତକୁ ବିସ୍ତୃତ ପରିପ୍ରକ୍ଷୀରେ ପ୍ରୋତ୍ସାହନ ଦେଉଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଚାରି ସ୍ତରୀୟ ଯଥା ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଉପରେ କାର୍ଯ୍ୟ କରୁଛି । ପେଟ୍ରୋଲରେ ଇଥାନଲ ସମ୍ମିଶ୍ରଣ ୧ ପ୍ରତିଶତରୁ ବୃଦ୍ଧି ପାଇ ପ୍ରାୟ ୮ ପ୍ରତିଶତରେ ପହଁଚିଲାଣି ଏବଂ ଖୁବଶୀଘ୍ର ଏହା ୧୦ ପ୍ରତିଶତକୁ ଛୁଇଁବାର ସମ୍ଭାବନା ରହିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ୨ଜି ଇଥାନଲ ଦିଗରେ ସରକାର, ପେଟୋଲିୟମ ମନ୍ତ୍ରାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଯୋର ଦେଇଛନ୍ତି । ସ୍ୱଚ୍ଛ ଓ ସୁରକ୍ଷିତ ଇନ୍ଧନକୁ ପ୍ରତି ଘରେ ଘରେ ପହଁଚେଇବା ସରକାରଙ୍କ ଲକ୍ଷ୍ୟ ରହିଛି । ଓଡ଼ିଶା ସମାଚାର