କେନ୍ଦ୍ରାପଡା ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ପୁରୀ ଶ୍ରୀକ୍ଷେତ୍ରରୁ ଭଉଣୀ ସୁଭଦ୍ରାଙ୍କ ପାଖରୁ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ତଥା ବଡଭାଇ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ଆସି ପହଁଚିଛି । ଶୁକ୍ରବାର ଶ୍ରୀକ୍ଷେତ୍ର ପୁରୀରୁ ପବିତ୍ର ବାସଙ୍ଗ ପାଟରାକ୍ଷୀ ଶୋଭାଯାତ୍ରା ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦ ଆନୁକୁଲ୍ୟରେ ବାହାରି ଶ୍ରୀକ୍ଷେତ୍ରରୁ ଭୂବନେଶ୍ୱର ଦୟାନଦୀ ଘାଟ, ଧାକୁଳେଇପୀଠ ଦେଇ କଟକ, ଟାଙ୍ଗୀ, ଛତିଆବଟ, ବାଇଶିମୈାଜା ଘାଟ – ବନ୍ଧ – ପଦ୍ମନାଭପୁର ଶ୍ୟାମସୁନ୍ଦରଜୀଉ, ବାଲିଚନ୍ଦ୍ରପୁର, ଦୁହୁରିଆ, ତିନିମୁହାଣିଛକ ଦେଇ ସହର ମଧ୍ୟକୁ ପ୍ରବେଶ କରି ଇଛାପୁର ତୁଳସୀକ୍ଷେତ୍ରରେ ଶନିବାର ପହଁଚିବା ପରେ ଶ୍ରୀବଳଦେବଜୀଉଙ୍କ ଦେବୋତର ସଂସ୍ଥା କାର୍ଯ୍ୟାଳୟରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ସନ୍ଧ୍ୟାରେ ପୁରୀ ଶ୍ରୀକ୍ଷେତ୍ରରୁ ପାଟରାକ୍ଷୀ ନେଇ ଆସିଥିବା ବରିଷ୍ଠ ଦଇତାପତି ତଥା ମା’ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ଶ୍ରୀମନ୍ଦିରର ଗରାବଡୁ ସେବାୟତ ରବିନାରାୟଣ ମହାପାତ୍ର ପାଟରାକ୍ଷୀ ଧରି ଏକ ଶୋଭାଯାତ୍ରାରେ ଶ୍ରୀବଳଦେବଜୀଉଙ୍କ ଦେବୋତ୍ତରସଂସ୍ଥା କାର୍ଯ୍ୟାଳୟ ନିକଟରୁ ମନ୍ଦିରକୁ ଆସିଥିଲେ । ଶ୍ରୀଜୀଉଙ୍କ ମନ୍ଦିରରେ ସେବାୟତଙ୍କୁ ହସ୍ତାନ୍ତର କରିଥିଲେ । ସେହି ପାଟରାକ୍ଷୀ ୨ଟିକୁ ମନ୍ଦିର ଭଣ୍ଡାରଘରେ ରଖାଯାଇଥିଲା । ଆସନ୍ତା ଗହ୍ମାପୂର୍ଣ୍ଣିମା ଅବସରରେ ଶ୍ରୀଜୀଉମାନଙ୍କୁ ଏହି ରାକ୍ଷୀ ଲାଗି କରାଯିବ । ପୁରୀରୁ ପାଟରାକ୍ଷୀ ସହିତ ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦର ଆନ୍ତର୍ଜାତୀୟ ସଭାପତି ଦୁର୍ଯ୍ୟୋଧନ ସାହୁ, ଆଦିତ୍ୟ ବାହିନୀର ସଂଗଠନ ସମ୍ପାଦକ ଶୁଭେନ୍ଦୁ ସ୍ୱାଇଁ,ଶ୍ରୀ ଜଗନ୍ନାଥ ପାଟସେବା ବିକାଶ ପରିଷଦର ଉପଦେଷ୍ଟା ଆଶିଷ କୁମାର ସାହୁ,ଉପଦେଷ୍ଟା ଡଃ.ତିରୂପତି ପାଣିଗ୍ରାହୀ,ଶ୍ରୀଜଗନ୍ନାଥ ପାଟରାକ୍ଷୀ ପ୍ରସ୍ତୁତ କର୍ତା ତନୁଜା ପାତ୍ର ପ୍ରମୁଖ ଆସିଥିବା ବେଳେ ସେମାନଙ୍କୁ ଏଠାରେ କେନ୍ଦ୍ରାପଡା ପାଟରା ସାଂସ୍କୃତିକ ପରିଷଦର ଶିବ ପ୍ରସାଦ ମହାନ୍ତି, ଶକ୍ତିକାନ୍ତ ପାତ୍ର,ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ,ଟ୍ରଷ୍ଟବୋର୍ଡ ସଭ୍ୟ ଧିରେନ ସାହୁ,ରଞ୍ଜନ କୁମାର ପୃଷ୍ଟି,ଯଯାତୀକେଶରୀ ମହାନ୍ତି,ମନ୍ଦିର ସୁପରଭାଇଜର ନୃସିଂହ ପତ୍ରୀ ପ୍ରମୁଖ ସ୍ୱାଗତ କରିଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ଶ୍ରୀକ୍ଷେତ୍ରରୁ ଭଉଣୀ ସୁଭଦ୍ରାଙ୍କ ପାଖରୁ ତୁଳସୀକ୍ଷେତ୍ର ଭାଇ ଶ୍ରୀବଳଦେବଜୀଉଙ୍କ ପାଇଁ ଆସିଲା ପାଟରାକ୍ଷୀ