ପାରାଦୀପ,୧୦/୦୮/୨୦୧୯ (ଓଡିଶା ସମାଚାର / ଦୀପକ କୁମାର ଦାସ)- ତୈଳ ବିଶୋଧନାଗାର ଶ୍ରମିକ ସଂଘର ବାର୍ଷିକ ସାଧାରଣ ବୈଠକ ଜିରୋ ପଏନ୍ଟ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଶ୍ରୀ ପଦ୍ମଲୋଚନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବୈଠକର ଆଭିମୁଖ୍ୟ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ । ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଆଜିର ବୈଠକରେ ସଂଘର ନୂତନ କର୍ମକର୍ତା ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ସର୍ବ ସମ୍ମତି କ୍ରମେ ସଂଘର କାର୍ଯ୍ୟକର୍ତା ମନୋନୀତ ହୋଇଥିଲେ । ଏହି ବୈଠକରେ ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସ ପାଳନ ଓ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ସଂପର୍କରେ ସବିଶେଷ ଆଲୋଚନା କରାଯାଇ ଶାନ୍ତି ଶୃଙ୍ଖଳାର ସହିତ ଉଭୟ ଉତ୍ସବ ପାଳନ ନିମନ୍ତେ କାର୍ଯ୍ୟକର୍ତା ମନୋନୀତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଦୀଲ୍ଲିପ କୁମାର ବେହେରା, ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ହମିହରା କୃଷକ ସଂଘର ସଭାପତି ଶ୍ରୀ ଚିନ୍ମୟ ଦାସ, ସଂପାଦକ ଶ୍ରୀ ମିହିର କାନ୍ତ ସାହୁ, ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତିର ସଭାପତି ଶ୍ରୀ ଅଭିରାମ ସାମଲ, ସମ୍ପାଦକ ଶ୍ରୀ ନିରଞନ ସାମଲ, ପୂର୍ବଭରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସହ ସଂପାଦକ ଶ୍ରୀ ନିରଂଜନ ନାୟକ ପ୍ରମୁଖ ସଂଘର ସର୍ବାଙ୍ଗିନ ମଙ୍ଗଳ ପାଇଁ ମୁଲ୍ୟବାନ ମତାମତ ରଖିଥିଲେ । ଶେଷରେ ସର୍ବସମ୍ମତି କ୍ରମେ ଆଇନ ଉପଦେଷ୍ଟା ଆଡଭୋକେଟ୍ ଦେବବ୍ରତ ସାହୁ, ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ଦାଶ, ଉପ- ସଭାପତି ଦୀଲ୍ଲିପ କୁମାର ବେହେରା, ସାଧାରଣ ସଂପାଦକ ରଂଜନ କୁମାର ପଲାଇ, ସହ ସଂପାଦକ ନିରଂଜନ ନାୟକ, କୋଷାଧ୍ୟକ୍ଷ ଅଭୟ କୁମାର ପାଲ ପ୍ରମୁଖ କର୍ମକର୍ତାମାନେ ଆସନ୍ତା ବର୍ଷ ନିମନ୍ତେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିକୁ ୪୫ ଜଣ ସଭ୍ୟ ସଭ୍ୟା ମନୋନୀତ ହୋଇଛନ୍ତି । ନବ ନିଯୁକ୍ତି ସାଧାରଣ ସଂପାଦକ ଶ୍ରୀ ରଂଜନ କୁମାର ପଲାଇଙ୍କୁ କାର୍ଯ୍ୟକାରୀ ସଭାପତି ଶ୍ରୀ ପଦ୍ମଲୋଚନ ଦାଶ ପୁଷ୍ଟଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧୀତ କରିଥିଲେ । ଓଡ଼ିଶା ସମାଚାର