ଜୟପାଟଣା,୧୦/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜୟପାଟଣା ଥାନା ଆନୁକୁଲ୍ୟରେ ପରୀ-୩ କାର୍ଯ୍ୟକ୍ରମ ଜୟପାଟଣା ପଂଚାୟତ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତହୋଇ ଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପିନାଥ ମଣିପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅଂଶୁମାନ ବାବୁ, ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସାରାଣୀ ସାହୁ ତଥା ବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଉପସ୍ଥିତ ଥିଲେ । ଦିନକୁ ଦିନ ବୃଦ୍ଧି ପାଉଥିବା ଶିଶୁଯୌନ ନିର୍ଯ୍ୟାତନା, ଶିଶୁଚାଲାଣ, ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା ରୋକିବା ତଥା ଶିଶୁମାନଙ୍କ ସୁରକ୍ଷା ନେଇ ସମାଜରେ ସଚେତନତା ସୃଷ୍ଟିକରିବା ଏହି କାର୍ଯ୍ୟକମର ଉଦ୍ଦେଶ୍ୟ । ଶିଶୁ ମାନଙ୍କ ସୁରକ୍ଷା ନେଇ ସରକାର ଜାତୀୟ ଶିଶୁ ସୁରକ୍ଷା କମିସନ, ରାଜ୍ୟରେ ଶିଶୁ ମଙ୍ଗଲ ବିଭାଗ, ଜିଲ୍ଲାରେ ଶିଶୁମଙ୍ଗଲ ଅଧିକାରୀ ଓ ସ୍ୱତନ୍ତ୍ର ପୋଲିସ ୟୁନିଟ ର ବ୍ୟବସ୍ଥା କରିଛନ୍ତି ହେଲେ ସଚେତନତାର ଅଭାବ ଯୋଗୁଁ ଏହାର ସମାଧାନ ହୋଇ ପାରୁନାହିଁ । ଶିଶୁଟିକୁ ମୁକ୍ତଭାବରେ ମୌଲିକ ଅଧିକାର ଦେଇ ତାର ବଂଚିବାର ବିକାଶ, ସହଭାଗିତା ର ଓ ସୁରକ୍ଷା ଦେଇ ଆଗାମୀ ଦିନରେ ଏଭଲି ଘୃଣ୍ୟ କାର୍ଯ୍ୟକୁ ସମାଜରୁ ସବୁଦିନ ପାଇଁ ଲୋପ କରିବା ପାଇଁ ସମସ୍ତ ସଂକଳ୍ପ ନେବା । ଓଡ଼ିଶା ସମାଚାର