Thursday , October 21 2021
Breaking News
Home / ବିଶେଷ / ଅଗଷ୍ଟ କ୍ରାନ୍ତି ଦିବସ ଓ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିତ

ଅଗଷ୍ଟ କ୍ରାନ୍ତି ଦିବସ ଓ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିତ

    ଅଖଣ୍ଡ ଭାରତର ଜ୍ୱାଳାକୁ ନିଜ ମଧ୍ୟରେ ପ୍ରଜ୍ଜ୍ୱଳିତ କରି ରଖିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର , ୧୦/୦୮/୨୦୧୯(ଓଡ଼ିଶା ସମାଚାର)-  କ୍ରାନ୍ତିର ଅର୍ଥ ରକ୍ତପାତ ନୁହେଁ । ଏହାର ଅର୍ଥ ପରିବର୍ତନ । ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ଜୀବନରେ କ୍ରାନ୍ତି ଆଣିଥିଲେ । ସେହିପରି ବିଂଶ ଶତାଦ୍ଦୀରେ ଜାତିର ପିତା ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଓ ଅହିଂସା ମାର୍ଗ ଜରିଆରେ ଭାରତମାତାକୁ ପରାଧୀନର ଶୃଙ୍ଖଳରୁ ମୁକ୍ତ କରିବାକୁ ଦେଶବାସୀଙ୍କ ମଧ୍ୟରେ କ୍ରାନ୍ତିର ଚେତନା ଜାଗ୍ରତ କରାଇଥିଲେ । ଗାନ୍ଧୀଜୀଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ନଅ ତାରିଖରେ ଆରମ୍ଭ ହୋଇଥିବା ‘ଭାରତ ଛାଡ଼ ଆନ୍ଦୋଳନ’ ଭାରତର ମୁକ୍ତି ସଂଗ୍ରାମରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ।   ସ୍ଥାନୀୟ ଓଡ଼ିଶା ଅଭିଲେଖାଗାର ପରିସରରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଓ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ସହ ଶ୍ରଦ୍ଧାଞ୍ଜଳି ଜଣାଇବା ସଂଗେ ସଂଗେ ମୁକ୍ତି ଆନ୍ଦୋଳନରେ ସହିଦ ମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଅସୀମ ଦେଶଭକ୍ତି ଓ ବଳିଦାନକୁ ସ୍ମରଣ କରିଥିଲେ । ରାଜ୍ୟପାଳ ପ୍ରତ୍ୟେକ ଭାରତୀୟ ନିଜ ମଧ୍ୟରେ ଏକ ଅଖଣ୍ଡ ଭାରତର ଜ୍ୱାଳାକୁ ପ୍ରଜ୍ଜ୍ୱଳିତ କରି ରଖିବା ସହ ଏହାର ପ୍ରଗତି ଏବଂ ସମୃଦ୍ଧିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ । ଘୃଣାକୁ ପରିତ୍ୟାଗ କରି ‘ସର୍ବେଭବନ୍ତୁ ସୁଖୀନଃ’ ଏହି ଆଦର୍ଶରେ ପରିଚାଳିତ ହୋଇ ‘ମୁଁ’ ଓ ‘ମୋର’ ଭାବନାକୁ ପରିତ୍ୟାଗ କରି ନିଜ ପାଇଁ ନୁହେଁ ସମଗ୍ର ମାନବ ଜାତିର ହିତ ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ଓ ଉତ୍ସର୍ଗ କରିବାକୁ ରାଜ୍ୟପାଳ କହିଥିଲେ । ମୁକ୍ତି ସଂଗ୍ରାମରେ ଓଡ଼ିଶାର ଭୂମିକା ଯଥେଷ୍ଟ ଥିଲା ଓ ଏହି ବରପୁତ୍ରମାନଙ୍କ ଜୀବନକୁ ଅନୁଶୀଳନ କରି ସମସ୍ତେ ନିଜର ଚେତାନକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋରଂଜନ ପାଣିଗ୍ରାହୀ ଭାରତ ଛାଡ଼ ଆନ୍ଦୋଳନର ଇତିହାସକୁ ସଂକ୍ଷେପରେ ଉଲ୍ଲେଖ କରିବା ସହ ଏହି ଆନ୍ଦୋଳରୁ ବ୍ରିଟିଶ୍ ସାମାଜ୍ୟବାଦର ବିଲୋପର ବୀଜ ସ୍ଥାପିତ ହୋଇଥିଲା ବୋଲି କହିଥିଲେ । ସେ ରକ୍ତତୀର୍ଥ ଇରମ ଓ ନବରଙ୍ଗପୁର ପାପଡ଼ାହାଣ୍ଡି ରେ ଜୀବନ ଉତ୍ସର୍ଗ କରିଥିବା ସହିଦ ମାନଙ୍କ ସଂପର୍କରେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଓଡ଼ଶା ଡ଼ାକ ସର୍କଲର ମହାଡ଼ାକପାଳ ଶ୍ରୀ ସନ୍ତୋଷ କୁମାର କାମିଲା ଡ଼ାକ ବିଭାଗ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ତଥା ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତକୁ ନେଇ ଡ଼ାକ ଟିକଟ ଓ ଫଟୋ ପ୍ରଦର୍ଶନୀ ସହ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରୁଛି ବୋଲି କହିଥିଲେ । ପ୍ରାରମ୍ଭରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଭାଗୀୟ ଯୁଗ୍ମ ସଚିବ ସଂଘମିତ୍ରା ସତପଥୀ ଓ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ମଧ୍ୟ ମଂଚସ୍ଥ ଥିଲେ । ରାଜ୍ୟପାଳ ଏହି ଅବସରରେରାଜ୍ୟର ତିନିଜଣ ବୟୋଜ୍ୟେଷ୍ଠ ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ଭଦ୍ରକ ଜିଲ୍ଲାର ରାମହରି ଗୋସ୍ୱାମୀ ଓ ଶ୍ୟାମ ସୁନ୍ଦର ବେହେରା ଏବଂ ସମ୍ବଲପୁର ଜିଲ୍ଲାର ଦେବାନନ୍ଦ ଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟପାଳ ମଧ୍ୟ ଡ଼ାକ ବିଭାଗ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ଲଫାପା (ସ୍ପେଶାଲ କଭର) ଉନ୍ମୋଚନ ଏବଂ ରାଜ୍ୟ ଅଭିଲେଖାଗାରର ସାମାଜିକ ଗଣମାଧ୍ୟମ ଦୃଶ୍ୟ ଶ୍ରାବ୍ୟ ଅଭିଲେଖାକୁ ଲୋକାପର୍ଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ ରାଜ୍ୟପାଳ ଡ଼ାକ ବିଭାଗ ଓ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଗାନ୍ଧିଜୀ, ଓଡ଼ିଶା ଓ ଭାରତଛାଡ଼ ଆନ୍ଦୋଳନକୁ ନେଇ ପ୍ରସ୍ତୁତ କରାଯାଇଥିବା ଫଟୋ ଓ ଡ଼ାକଟିକଟ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ବୈଷ୍ଣବ ଜନ ତୋ’ଉତ୍ସବରେ ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *