ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ଆଜି ସାଲେପୁର ପଂଚାୟତ ସମିତି ପକ୍ଷରୁ ମଧୁମଣ୍ଡପଠାରେ ୨୫୪ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସାଲେପୁର ପଂଚାୟତ ସମିତି ଅଧ୍ୟକ୍ଷା ମମତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ମାଳ ଲେଖନପୁର, ନରଦା, ବାଲିସାହି, ରାଇସୁଙ୍ଗୁଡ଼ା, ଛାଣିପୁର, ଚନ୍ଦ୍ରାଦେଇପୁର, ମଧ୍ୟକଚ୍ଛ ପଂଚାୟତ ସମେତ ପ୍ରଥମ ପର୍ଯ୍ୟାୟରେ ୧୮ଟି ପଂଚାୟତର ମୋଟ୍ ୨୫୪ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରିଥିଲେ । କାର୍ଯ୍ୟାଦେଶ ପାଇବାର ୪ମାସ ମଧ୍ୟରେ ଯେଉଁ ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବେ ତାଙ୍କୁ ସରକାରଙ୍କ ପକ୍ଷରୁ ଅଧିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ସେହିପରି ୬ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କଲେ ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ କିଶୋର କୁମାର ପଣ୍ଡା ପ୍ରକାଶ କରିଛନ୍ତି । ସେହିପରି ଗୃହ ନିର୍ମାଣ ସହ ପାଇଖାନା ନିର୍ମାଣ କରିବା ବାଧ୍ୟତାମୂଳକ ବୋଲି ସେ ଘୋଷଣା କରିବା ସହ କାର୍ଯ୍ୟାଦେଶ ପାଇଥିବା ଯେଉଁ ହିତାଧିକାରୀମାନେ ପାଇଖାନା ନିର୍ମାଣ ନକରିବେ ସେମାନଙ୍କୁ ସଂପୂର୍ଣ୍ଣ ଅର୍ଥ ମିଳିବ ନାହିଁ ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି, ଅଶୋକ କୁମାର ଭୂୟାଁ, ଶୁଭାଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ସାଲେପୁର ବ୍ଲକ୍ ଆକାଉଂଟ୍ସ ଅଫିସର ମନୋରଂଜନ ବର୍ଦ୍ଧନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ କିରାଣୀ ରମାକାନ୍ତ ମହାରଣା, ଶରତ ଚନ୍ଦ୍ର ବେହେରା, ସଂଘମିତ୍ରା ନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର