ସାଲେପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା)- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପୂର୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷା ପାଣିର ଲହଡ଼ି ଖେଳୁଛି । ଫଳରେ ସାଲେପୁର ପୂର୍ତ ବିଭାଗ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଆସିଥିବା ଜନସାଧାରଣ ବହୁ କଷ୍ଟରେ ଏହି ପାଣିରେ ପଶି ବାଧ୍ୟ ହୋଇ କାର୍ଯ୍ୟାଳୟ ମଧ୍ୟକୁ ଯାଉଛନ୍ତି । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଏହିପରି ସମସ୍ୟା ସୃଷ୍ଟି ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାଲେପୁର ଅରବିନ୍ଦ ମାର୍ଗରେ ଥିବା ପୂର୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷାପାଣିର ଲହଡ଼ି ଖେଳୁଛି । ଏପରିକି ପାଖରେ ଥିବା ଏକ ଟିଉବ ୱେଲ୍ ମଧ୍ୟ ବର୍ଷାପାଣିରେ ଅଧା ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଫଳରେ ପୂର୍ତ ବିଭାଗ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଜନସାଧାରଣ ଏହି ପାଣି ମଧ୍ୟରେ ପଶି କାର୍ଯ୍ୟାଳୟକୁ ଯାଉଥିବାବେଳେ କେତେକ ଲୋକ କାର୍ଯ୍ୟାଳୟକୁ ନଯାଇ ଫେରିଯାଉଥିବା ଦେଖିବାକୁ ମିଳିଛି । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି କୁହାଯାଇଛି । ସେହିପରି ସାଲେପୁର ଖେଳପଡ଼ିଆ, ସାଲେପୁର ତହସିଲ କାର୍ଯ୍ୟାଳୟ ପରିସର, ମଧୁସୂଦନ ଭବନ ସମ୍ମୁଖଭାଗ, ଆର.ଡବ୍ଲୁ ଏସ୍.ଏସ୍. ସମ୍ମୁଖ କାର୍ଯ୍ୟାଳୟ, ଚନ୍ଦ୍ରାଦେଇପୁର ସ୍କୁଲ ନିକଟରେ ରାସ୍ତା ଉପରେ ଆଣ୍ଠୁଏ ଲେଖାଁ ପାଣି ଜମି ରହୁଛି । ମାଛୁଆତିର ତାରିଣୀ ଛକଠାରୁ କେନ୍ଦ୍ରାପଡ଼ା କେନାଲବନ୍ଧକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଫଳରେ ଜନସାଧାରଣଙ୍କ ଯାତାୟତରେ ଘୋର ସମସ୍ୟା ଦେଖାଯାଇଛି । ଏହିସବୁ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇନପାରି ଏହି ସବୁ ସମସ୍ୟା ସୃଷ୍ଟି ହୋଇଛି । ସେହିପରି ତାରିଣୀ ଛକରୁ କେନ୍ଦ୍ରାପଡ଼ା କେନାଲବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ବର୍ଷାଦିନେ ବର୍ଷାପାଣି ନିଷ୍କାସିତ ହୋଇପାରୁନଥିବା ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଏହାର ସ୍ଥାୟୀ ପ୍ରତିକାର ଗ୍ରହଣ କରିବାକୁ ଦାବି ହୋଇଛି । ଓଡ଼ିଶା ସମାଚାର