ପାରାଦ୍ୱୀପ,୦୮/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରରୁ ଲୁହା ଚୋରି କରି ବିକ୍ରି କରିବା ପାଇଁ ନେଉଥିବା ବେଳେ ୫ଜଣ ଯୁବକଙ୍କୁ ପାରାଦ୍ୱୀପ ଆଦର୍ଶ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲା ମହାକଳାପଡ଼ା ଥାନା ବଉଳକାଣି ଗାଁର ବାପୁନା ସିଂ, ବିପ୍ଲବ ଦାସ ଓରଫ ବାପି, ତୋଫାନ ଦାସ ଓରଫ ପପୁ, କେନ୍ଦୁଝର ଝୁମ୍ପୁରା ଥାନା ଉଖୁଣ୍ଡା ଅଂଚଳର ମନୋଜ ମହାରଣା ଓରଫ ଏଣ୍ଡୁଅ, ପୁରୀ ଅଞ୍ଚଳର ନିରୋଦ ରଂଜନ ହାତୀ ଓରଫ ପପୁନି । ଅଭିଯୁକ୍ତମାନେ ମଙ୍ଗଳବାର ବନ୍ଦର ମଧ୍ୟରୁ ବହୁ ପରିମାଣରେ ଲୁହା ଚୋରି କରି ଏହାକୁ ବିକ୍ରି କରିବା ପାଇଁ ନେଉଥିଲେ । ଏହି ସମୟରେ ପାଟ୍ରୋଲିଂରେ ଥିବା ପାରାଦ୍ୱୀପ ଥାନା ଏସଆଇ ଏ.ଟୁଡୁ ଏମାନଙ୍କୁ ଅଟକାଇ ଥାନାକୁ ଆଣି ପଚରାଉଚରା କରିଥିଲେ । ପରେ ସମସ୍ତେ ଏହି ଲୁହା ଚୋରି କରିଥିବା ସ୍ୱୀକାର କରିଥିଲେ । ଏହି ଚୋରା ଲୁହାର ମୂଲ୍ୟ ୧୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସମସ୍ତ ଅଭିଯୁକ୍ତ ପାରାଦ୍ୱୀପର ମୁଣ୍ଡାପଡ଼ା ବସ୍ତିରେ ରୁହନ୍ତି । ଓଡ଼ିଶା ସମାଚାର