କେନ୍ଦ୍ରାପଡା ୦୫/୦୮/୨୦୧୯ ( ଓଡ଼ିଶା ସମାଚାର)- ଏସିଡ ପିଡିତ ପୁଅର ଚିକିତ୍ସା ନିମନ୍ତେ ତା’ର ମା ଜିଲ୍ଲାପାଳଙ୍କୁ ଭେଟି ସହାୟତା ନିବେଦନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ଗ୍ରାମର ବୈଷ୍ଣବ ଚରଣ ବାରିକଙ୍କ ପତ୍ନୀ କୁନିଲତା ବାରିକ ସୋମବାର ଜିଲ୍ଲାପାଳଙ୍କୁ ଜନଅଭିଯୋଗ ଶୁଣାଣି ଶିବିରରେ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ୨୦୧୮ମସିହା ଅକ୍ଟୋବରମାସ ୯ତାରିଖ ରାତି ପ୍ରାୟ ୨ଟା ସମୟରେ ତାଙ୍କ ପୁଅ ହିମାଂଶୁ ଶେଖର ବାରିକ,ବୋହୁ ମୀନତୀ ପ୍ରଭା ଓ ୨ନାତୁଣୀ ଘରେ ଶୋଇଥିବା ସମୟରେ ସେହି ଗ୍ରାମର ଭବାନୀଶଙ୍କର ଓଝା,ସତ୍ୟଜିତ ସେଠୀଙ୍କ ସମେତ ଅନ୍ୟ କେତେକ ଦୁର୍ବୃତ ସେହି ଘର ମଧ୍ୟକୁ ଏସିଡ ପକାଇ ଦେବାରୁ ସେଥିରେ ତାଙ୍କ ପୁଅ ହିମାଂଶୁ ଗୁରୁତର ଭାବେ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଓ ପରେ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହୋଇଥିଲେ । ଏଥି ସହିତ ବୋହୁ ମୀନତୀ ଓ ୨ନାତୁଣି ମଧ୍ୟ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ତାଙ୍କ ପୁଅ ହିମାଂଶୁର ୨ଟିଯାକ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସେ ଏବେ ଭୂବନେଶ୍ୱରସ୍ଥିତ ଡକ୍ଟର ଏଲ.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହା ମଧ୍ୟରେ ପୁଅର ଚିକିତ୍ସା ନିମନ୍ତେ ସେ ଧାର କରଜ କରି ବହୁ ଅର୍ଥ ଖର୍ଚ୍ଚ କରିସାରିଛନ୍ତି । ତାଙ୍କ ପାଖରେ ଏବେ ଆଉ ଅର୍ଥ ନଥିବା ବେଳେ ପୁଅ ଆଖିର ଆସନ୍ତା ୧୬ତାରିଖରେ ଅପରେସନ ହେବାକୁ ଡାକ୍ତର ପରାମର୍ଶ ଦେଇଥିବାରୁ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏତଦବ୍ୟତିତ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ମଧ୍ୟ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଜିଲ୍ଲାପାଳ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ ନିର୍ଦେଶ ଦେବା ସହ କୁନିଲତାଙ୍କ ପୁଅର ଚିକିତ୍ସା ନିମନ୍ତେ ସରକାରୀ ସହାୟତା ମଞ୍ଜୁର ପାଇଁ ଜିଲ୍ଲା ଜରୁରୀ ବିଭାଗକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର