କଟକ,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)- କଟକ ଜିଲା ଅଧିନସ୍ଥ ନେମାଳ ଥାନା ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଅଚ୍ୟୁତାନନ୍ଦ ପୀଠକୁ ଜଣେ ପର୍ଯ୍ୟଟକ ନିଜ ପରିବାର ସହିତ ବୁଲି ଆସିଥିବାବେଳେ ନେମାଳ ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ତାଙ୍କୁ ଦୁର୍ବୃତମାନେ ଅପହରଣ କରିନେଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରୁ ଶୁଭେନ୍ଦୁ ମହାପାତ୍ର ନାମକ ଜଣେ ଶ୍ରଦ୍ଧାଳୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଅଚ୍ୟୁତାନନ୍ଦ ପୀଠକୁ ନିଜ ପରିବାରର ୨ ଝିଅ ଓ ସ୍ତ୍ରୀ ଙ୍କୁ ସାଙ୍ଗରେ ନେଇ ଆସିଥିଲେ । ତେବେ ନେମାଳ ଥାନା ଠାରୁ ଅଳ୍ପ ଦୂରରେ ଥିବା ଅଚ୍ୟୁତାନନ୍ଦ ପୀଠରେ ପୂଜାର୍ଚ୍ଚନା କରୁଥିବାବେଳେ ଶୁଭେନ୍ଦୁ ମହାପାତ୍ରଙ୍କୁ ୫ / ୬ ଜଣ ଦୁର୍ବୃତ ପୋଲିସ ର ପରିଚୟ ଦେଇ ଏକ କାର ରେ ଜବରଦସ୍ତ ଉଠାଇ ନେଇ ଅପହରଣ କରିଥିବା ତାଙ୍କ ସ୍ତ୍ରୀ ନେମାଳ ଥାନାରେ ଅଭିଯୋଗ କରିଛନ୍ତି । ଅପହୃତ ଶୁଭେନ୍ଦୁ ଏକ ଠିକା ସଂସ୍ଥାରେ ଠିକାଦାରି କରନ୍ତି ବୋଲି ଜଣାପଡ଼ିଛି । ନେମାଳ ଥାନା ପୋଲିସ୍ ଏହି ଅଭିଯୋଗ ପାଇ ତନାଘନା ଚଳାଇଛି । ତେବେ ଅପହରଣ ର କାରଣ ବର୍ତମାନ ଜଣାପଡ଼ିନାହିଁ । ଠିକାଦାରୀକୁ ନେଇ କିଛି ପୂର୍ବ ଶତୃତାରୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର