Sunday , October 1 2023
Home / ବିଶେଷ / ବଢୁଛି ଫେସନ୍ କମୁଛି ଭକ୍ତି – ଶବ୍ଦ ପ୍ରଦୁଷଣ ରୋକାନଯିବା ସାଧାରଣରେ ପ୍ରଶ୍ନବାଚୀ

ବଢୁଛି ଫେସନ୍ କମୁଛି ଭକ୍ତି – ଶବ୍ଦ ପ୍ରଦୁଷଣ ରୋକାନଯିବା ସାଧାରଣରେ ପ୍ରଶ୍ନବାଚୀ

ଗରଦପୁର ୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କରାଇଲେ ଅଶେଷ ପୂର୍ଣ୍ଣ ମିଳିଥାଏ ବୋଲି ଭକ୍ତମାନେ କାଉଡିଆ ଭାବରେ ଶିବାଳୟ ଅଭିମୂଖେ ଯାତ୍ରା କରିଥାଆନ୍ତି । ଏଥି ସହିତ ବୋଲ ବମ୍ ଶ୍ରଦ୍ଧାଳୁମାନଙ୍କ ଓଁ ନମଃ ଶିବାୟ ଧ୍ୱନିରେ ବିଭିନ୍ନ ଶିବମନ୍ଦିର ପରିସର କମ୍ପି ଉଠେ । ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଅଂଚଳର ବିଭିନ୍ନ ସ୍ଥାନମାନଙ୍କରୁ ବହୁ ସଂଖ୍ୟକ ଶିବ ଭକ୍ତମାନେ ଚିତ୍ରୋତ୍ପଳା ନଦୀର ବିଭିନ୍ନ ସ୍ଥାନରୁ ଜଳ ଉଠାଇବା ସହିତ ବିଭିନ୍ନ ପ୍ରସିଦ୍ଧି ଶୈବ ପୀଠଗୁଡିକୁ ଜଳ ଲାଗି କରିବା ପାଇଁ ଯାଇଥାଆନ୍ତି । ଗ୍ରାମାଂଚଳରେ ଥିବା ବିଭିନ୍ନ ପ୍ରମୁଖ ରାସ୍ତା ଓ ଗ୍ରାମ ପାଶ୍ୱର୍ସ୍ଥ ରାସ୍ତା ମଧ୍ୟ ଦେଇ ଦଳ ଗତ ହୋଇ ବହୁ ସଂଖ୍ୟକ କାଉଡିଆମାନେ ଯାଉଥିବାର ଦେଖିବାକୁ ମିଳୁଛି । ଜଳାଭିଷେକ ଯାତ୍ରା ସମୟରେ ଉଚ୍ଚ ସ୍ୱରରେ ଡାକବାଜି ଯନ୍ତ୍ର (ଡିଜେ)ବଜାଇ ସେମାନେ ରାସ୍ତାରେ ଯାଉଛନ୍ତି । ଡିଜେ ସାଜିଛି ବୋଲବମ୍ ଯାତ୍ରାର ମୂଖ୍ୟ ଆକର୍ଷଣ ଉତ୍ସବ ବୋଲି ଜଣାଯାଉଛି । ଯାହାକି ଏବେ ସାଧାରଣରେ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଛି । ଭକ୍ତି ଭାବ ନେଇ ମନ୍ଦିରକୁ ପାଣି ଭାର ନେଇ ଯିବା ବଦଳରେ ଅତ୍ୟାଧୁନିକ ଫ୍ୟାସନ୍ରେ ସଜ୍ଜିତ ହୋଇ ଯିବାକୁ ଭକ୍ତମାନେ ଅଧିକ ପସନ୍ଦ କରିଥାଆନ୍ତି । ଶ୍ରାବଣ ମାସରେ ମାନସିକ ରଖି ମହାଦେବଙ୍କୁ ଜଳାଭିଷେକ କରାଇଲେ ମନଷ୍କାମନା ପୂର୍ଣ୍ଣ୍ୟ ହୋଇଥାଏ ବୋଲି ଶିବ ଭକ୍ତମାନଙ୍କ ମନରେ ବିଶ୍ୱସ ରହିଛି । ମାସକ ଯାକ ଆମିଷ ଭକ୍ଷଣ ନିଷେଧ କରିବା ସହିତ ନଦୀରୁ ଜଳ ଉଠାଇ ମହାଦେବଙ୍କ ନାମ ସ୍ମରଣ ଓ ଉଚ୍ଚାରଣ କରି ପାଦରେ ଚାଲି ଚାଲି ଶୈବ ପୀଠରେ ପହଂଚିି ମହାଦେବଙ୍କୁ ଜଳଲାଗି କରିଥାଆନ୍ତି । ସେଥିପାଇଁ ଡାକବାଜି ଯନ୍ତ୍ର କିମ୍ବା ମିଳିତ ଭାବରେ ଭୋଜି ଭାତର କିଛି ଆବଶ୍ୟକତା ନ ଥାଏ । ଏହି ବୋଲ ବମ୍ ଯାତ୍ରା ଆରମ୍ଭ ବେଳେ, ଉଚ୍ଚ ସ୍ୱରରେ ଡିଜେ ମେସିନ୍ ଲଗାଇ ଯାତ୍ରା କରିବା ସମୟରେ ଶଦ୍ଧ ପ୍ରଦୁଷଣ ହେବା ସହିତ ଏହି ଯାତ୍ରା ଯେଉଁ ଗ୍ରାମଗୁଡିକ ମଧ୍ୟ ଦେଇ ଯାଇଥାଆନ୍ତି ,ସେହି ଗ୍ରାମମାନଙ୍କରେ ଥିବା ହୃଦ୍ ରୋଗୀ,ବୃଦ୍ଧ,ଶିଶୁ,ଏବଂ ଶଯ୍ୟାରେ ଥିବା ରୋଗୀମାନେ ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ହୋଇ ପଡୁଥିବାର ଜଣାଯାଇଛି । ରାସ୍ତାରେ ଯାଉଥିବା କାଉଡିଆମାନେ ବିଭିନ୍ନ ଢଙ୍ଗରେ ବିଶୃଙ୍ଖଳିତ ଭାବରେ ଯାଉଥିବା କାରଣରୁ ଅଧକାଂଶ ସମୟରେ ଦୁର୍ଘଟଣାର ମଧ୍ୟ ଆଶଙ୍କା ରହୁଛି । ସଚେତନତା ଅଭାବରୁ ଏଭଳି ଫ୍ୟାସନ୍ ଚାଲିଥିବା ଲୋକମାନେ କହୁଥିବା ବେଳେ, ସ୍ଥାନୀୟ ପୁଲିସ କିମ୍ବା ସରକାରୀ ନିର୍ଦ୍ଦେଶନାମା ଏଥିରେ କୌଣସି ପ୍ରଭାବ ପକାଇ ପାରୁ ନାହିଁ । କେବଳ ସେତିକି ନୁହେଁ ଶିବାଳୟରେ ଜଳାଭିଷେକ କରି ସାରିବା ପରେ କାଉଡିଆମାନେ ମାଲ ପରିବହନ ଗାଡିରେ ଘରକୁ ଫେରୁଥିବାର ଦେଖାଯାଇଛି । ଯାହାକି ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରିବାକୁ ପଡିଥାଏ । ସେଥି ପ୍ରତି ପରିବହନ ବିଭାଗର ଆଦୌ ଦୃଷ୍ଟ ରହୁ ନ ଥିବାର ଜଣାଯାଇଛି । ଏହାକୁ ନେଇ ପ୍ରତ୍ୟେକ ବିଭାଗ ସଜାଗ ରହିବାକୁ ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *