Sunday , September 24 2023
Breaking News
Home / ସ୍ୱାସ୍ଥ୍ୟ / ଏସସିବି ମେଡିକାଲ କଲେଜ ଏବଂ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସମ୍ପର୍କରେ ସମୀକ୍ଷା

ଏସସିବି ମେଡିକାଲ କଲେଜ ଏବଂ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସମ୍ପର୍କରେ ସମୀକ୍ଷା

ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଟ୍ରାଉମା କେୟାର ଓ ଲିଭର ପ୍ରତିରୋପଣ ଖୁବଶୀଘ୍ର
ଭୁବନେଶ୍ୱର,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହସ୍ପିଟାଲର ବିକାଶ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ବୈଠକରେ ଉକ୍ତ ହସ୍ପିଟାଲର ବିଭିନ୍ନ ବିଭାଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କଟକ ସ୍ଥିତ ମେରୁଦଣ୍ଡ ଆଘାତ କେନ୍ଦ୍ରକୁ ବର୍ତମାନ ପାଇଁ ଅର୍ଥପେଡିକ ବିଭାଗ ସହିତ ସାମିଲ କରି ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ପର୍ଯ୍ୟାୟକ୍ରମେ ଅନ୍ୟ ବିଭାଗ ଗୁଡିକୁ ଏଥି ସହିତ ଯୋଡାଯିବ । ପରବର୍ତୀ ସମୟରେ ଏହା ସହିତ ଟ୍ରାଉମା କେୟାର ୟୁନିଟକୁ ସଂଯୋଗ କରାଯାଇ ଓଡିଶା ଟ୍ରାଉମା କେୟାର ଓ ମେରୁଦଣ୍ଡ ଆଘାତ କେନ୍ଦ୍ର ଭାବେ ନାମିତ ଲାଗି ବୈଠକରେ ସ୍ଥିର ହୋଇଛି । ବର୍ତମାନ ଟ୍ରାଉମା କେୟାର ସେଂଟରରେ ଆବଶ୍ୟକ ମାନବ ସମ୍ବଳର ବ୍ୟବସ୍ଥା କରାଯିବ । ସେହିଭଳି ଜେରିଆଟିକ ଓପିଡି ସେବା ବର୍ତମାନ ସପ୍ତାହରେ ତିନିଦିନ ପାଇଁ ଜେନେରାଲ ମେଡିସିନ ୱାର୍ଡରେ କାର୍ଯ୍ୟ କରୁଥିବାବେଳେ ଏହାକୁ ସବୁଦିନ କାର୍ଯ୍ୟକାରୀ ଲାଗି ବ୍ୟବସ୍ଥା କରଯିବା ସହିତ ସ୍ୱତନ୍ତ୍ର ଆଇପିଡି ସେବା ଉପଲବ୍ଧ କରାଯିବ । ଏହାପାଇଁ ଏକ ସ୍ୱତନ୍ତ୍ର ଭବନ ନିର୍ମାଣ ଲାଗି ୧୫ଏକର ଜମିର ବ୍ୟବସ୍ଥା ସକାଶେ କୁହାଯାଇଛି ।

ସେହିପରି ଲିଭର ପ୍ରତିରୋପଣ ବ୍ୟବସ୍ଥା ଶୀଘ୍ର ଆରମ୍ଭ କରାଯିବା ପାଇଁ ଏ ନେଇ ଆସନ୍ତା ୭ଦିନ ଭିତରେ ଏମଓୟୁ ସ୍ୱାକ୍ଷରିତ ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ତେବେ ଯଥାଶୀଘ୍ର ଅନ୍ୟାନ୍ୟ ତାଲିମ, ପରିଦର୍ଶନ ଆଦି ଆନୁଷଙ୍ଗିକ କାର୍ଯ୍ୟ ସାରିବାକୁ ବି କୁହାଯାଇଛି । ନିର୍ମାଣ ହେବାକୁ ଥିବା ଜି+୭ ସୁପର ସ୍ପେିଶିଆଲିଷ୍ଟ ଭବନ କାର୍ଯ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ଯେପରି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି । ଆବଶ୍ୟକ ପଡୁଥିବା ବାଳିକା ହଷ୍ଟେଲ, ବ୍ୟାୟାମଶାଳାର ବ୍ୟବସ୍ଥା କରାଯିବା ସହ ବର୍ତମାନ ଥିବା ବ୍ୟାୟାମଶାଳାର ଶୀଘ୍ର ପୁନରୁଦ୍ଧାର କରାଯିବ ।

ପୂର୍ବରୁ ରାଜ୍ୟରେ ଥିବା ସରକାରୀ ହୋମିଓପାଥିକ ମେଡିକାଲ କଲେଜ ଗୁଡିକ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାସ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଘରୋଇ ହୋମିଓପାଥିକ ମେଡିକାଲ କଲେଜ ଗୁଡିକୁ ପ୍ରଦାନ କରାଯାଉଥିବା ଏନଓସି ସମ୍ପର୍କରେ ଡିଏମଇଟି ଏକ କମିଟି ଗଠନ କରି ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଯେଉଁ ପ୍ରକାର ବ୍ୟବସ୍ଥା ରହିଛି ତାହାର ଅନୁଧ୍ୟାନ ପାଇଁ କୁହାଯାଇଛି । ବାରିପଦା ଠାରେ ଥିବା ଘରୋଇ ଆୟୁର୍ବେଦିକ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କରାଯିବା ସମ୍ପର୍କରେ କରିଥିବା ଘୋଷଣା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ସମ୍ବଲପୁର ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଖାଲିଥିବା ପଦବୀ ପୂରଣ ପାଇଁ ଆୟୁଷ ନିର୍ଦ୍ଦେଶକ ତିନିଦିନ ମଧ୍ୟରେ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ମେଡିକାଲ କଲେଜ ଗୁଡିକରେ ଥିବା ଭିତିିଭୂମି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅତିରିକ୍ତ ସଚିବ ସମ୍ପୃକ୍ତ ଅନୁଷ୍ଠାନର ଅଧିକାରୀମାନଙ୍କ ସହିତ ଓ ହୋମିଓପାଥିକ ସଂଘ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ମେଡିକାଲ ନିଗମର ଏମଡି ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଡିଏମଇଟି ସୋନାମାଳି ବାଗ, ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଭିନ୍ନ ବିଭାଗୀୟ ମୁଖ୍ୟ, ମୁଖ୍ୟଯନ୍ତ୍ରୀ (କୋଠାବାଡି), ହୋମିଓପାଥି ମେଡିକାଲ କଲେଜ ଗୁଡିକର ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *