ଭୁବନେଶ୍ୱର,୦୨/୦୮/୨୦୧୯ ( ଓଡ଼ିଶା ସମାଚାର)-+୨ରେ ସଂସ୍କାର ନାମରେ କ୍ଲାସ ସରିବା ପରେ କେହି ପିଲା କଲେଜରେ ରହିଲେ ବାଧ୍ୟତାମୂଳକ ସି.ଟି. ପ୍ରଦାନ ତଥା ଘରୋଇ ସ୍କୁଲ ଶିକ୍ଷକଙ୍କ ପାଇଁ ଓ.ଟି.ଇ.ଟି ବାଧ୍ୟତାମୂଳକ କରିବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଯେଉଁ ନିଷ୍ପତି ନିଆଯାଇଛି ଏ.ଆଇ.ଡି.ଏସ.ଓ. ଓଡ଼ିଶା ରାଜ୍ୟ କମିଟି ତରଫରୁ ତାହାକୁ ଦୃଢ଼ ବିରୋଧ କରାଯାଇଛି । କଲେଜ ପରିସର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଜ୍ଞାନ ଚର୍ଚ୍ଚା ତଥା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ବହୁ ସମୟରେ କଲେଜରେ ରହିବାକୁ ପଡ଼ିଥାଏ । ସେମାନଙ୍କର ଜ୍ଞାନ ପିପାସା ବଢ଼ାଇବା ତଥା ସାମାଜିକ କାମରେ ମନୋନିବେଶ ପାଇଁ କ୍ୟାମ୍ପସରେ ଅଧିକ ସମୟ ସେମାନେ କିଭଳି ରହିବେ ସେଥିପ୍ରତି ଦୃଷ୍ଟିନଦେଇ କ୍ଲାସ ସରିବା ମାତ୍ରେ କଠୋର ଦଣ୍ଡ ଆଳରେ ଘଉଡ଼ାଇ ଦେବା ସମ୍ପୂର୍ଣ୍ଣ ଶିକ୍ଷା ବିରୋଧୀ ପଦକ୍ଷେପ ଏବଂ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରର ହସ୍ତକ୍ଷେପ ବୋଲି ଏ.ଆଇ.ଡି.ଏସ.ଓ. ତରଫରୁ କୁହାଯାଇଛି । ବାସ୍ତବରେ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ବିଦା କରି ଘରୋଇ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ତଥା କଲେଜ କୋଠାବାଡ଼ିକୁ ଭଡ଼ା ଦେଇ ଟଙ୍କା ରୋଜଗାର କରିବା ପାଇଁ ଉପରୋକ୍ତ ନିଷ୍ପତି ନିଆଯାଇଛି ବୋଲି ଏ.ଆଇ.ଡି.ଏସ .ଓ. ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ରାଜ୍ୟ ସମ୍ପାଦକ ସୁବାସ ନାୟକ ଏକ ପ୍ରେସ ବିବୃତି ମାଧ୍ୟମରେ ମତ ପ୍ରକାଶ କରିଛନ୍ତି । ସେହିଭଳି ଘରୋଇ ଶିକ୍ଷକଙ୍କ ପାଇଁ ଓ.ଟି.ଇ.ଟି ବାଧ୍ୟତାମୂଳକ କରିବା କେବଳ ମାଧ୍ୟମିକ ବୋର୍ଡ଼ର ଟଙ୍କା ରୋଜଗାର ଏବଂ ସେବା ମନୋଭାବ ନେଇ ଘରୋଇଭାବେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଙ୍କୁ ଶିକ୍ଷାଦାନରୁ ବଂଚିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଏ.ଆଇ.ଡି.ଏସ.ଓ. ତରଫରୁ କୁହାଯାଇଛି । ଓଡ଼ିଶା ସମାଚାର