ରାଜନଗର,୦୧/୦୮/୨୦୧୯ (ଓଡ଼ିଶା ସମାଚାର)- ଭିତର କନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ଆଜି ଖୋଲିଲା । କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଗତ ମଇଁ ପହିଲାରୁ ପର୍ଯ୍ୟଟକ ମାନଙ୍କପାଇଁ ଏହା ବନ୍ଦ ରହିଥିଲା । ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଉଥିବାରୁ ହ୍ରିଂସ ହୋଇଥାନ୍ତି । ତେଣୁ ଏହି ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଏହାକୁ ବନ୍ଦ ରଖାଯାଇଥାଏ । ଆଜି ସକାଳୁ ଏହି ଭିତର କନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି । ତେବେ ପର୍ଯ୍ୟଟକମାନଙ୍କ ପାଇଁ ଫଟୋ ପରିଚୟପତ୍ର ଓ ଲାଇଭ ଜାକେଟ ବାଧ୍ୟତାମୂଳକ କରାଯାଇଛି । ୩ ମାସ ବନ୍ଦ ରହିବା ପରେ ଆଜି ଏହି ଜାତୀୟ ଉଦ୍ୟାନ ଖୋଲିଥିବାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଫୁଲ ଚନ୍ଦନ ଦିଆଯାଇ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ଯେଉଁ ପର୍ଯ୍ୟଟକମାନେ ଭିତରକନିକା ଆସୁଛନ୍ତି ସେମାନେ ସାଙ୍ଗରେ ଯେ କୌଣସି ଫଟୋ ପରିଚୟ ପତ୍ର ଓ ତାହାର ଜେରକ୍ସ କପି ଆଣିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବେଶ ଫାଟକରେ ପରିଚୟ ପତ୍ର ର କପି ଦେବାକୁ ପଡ଼ିବ । ଓଡ଼ିଶା ସମାଚାର