କେନ୍ଦ୍ରାପଡା୩୧/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ନିର୍ବାହ ସମୟରେ ମରଣାନ୍ତକ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ୫ଦିନ ପରେବି ଅଭିଯୁକ୍ତକୁ ଗିରଫ ନକରିବାକୁ ନେଇ ସେସୁ କର୍ମଚାରୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ସେସୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଯାହାର ଫଳ ସୂରୂପ ସାରା ଜିଲ୍ଲାରେ ବିଦ୍ୟୁତ ସରବରାହ ବ୍ୟବସ୍ଥା ବ୍ୟାଘାତ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଏଭଳି ପରିସ୍ଥିତିରେ ପୋଲିସ ଅଭିଯୁକ୍ତକୁ ଗିରଫ ନକରି ତାର ସାନ ଭାଇ ଜାନି ଓରଫ ସେକ ଅବଦୁଲ ଆଲାମକୁ ବୁଧବାର ସନ୍ଧ୍ୟାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହା ଦ୍ୱାରା ଘଟଣାକୁ ଚପାଇ ଦେବାକୁ ପୋଲିସ ଚେଷ୍ଟା କରୁଛି ବୋଲି ୟୁନାଇଟେଡ ଇଲେକଟ୍ରୀସିଟି ଏମ୍ପେ୍ଲାଇଜ ୟୁନିଅନର ସାଧାରଣ ସମ୍ପାଦକ କୁମାର ଜୀତେନ୍ଦ୍ର ବିଶ୍ୱାଳ ଅଭିଯୋଗ କରିଛନ୍ତି । ଘଟଣା ଅନୁଯାଇ କେନ୍ଦ୍ରାପଡା ସହର ନିକଟସ୍ଥ ଏକ ବରଫକଳକୁ ଯୁଗ୍ମ ତଦନ୍ତ ପାଇଁ ଯାଇଥିବା ସମୟରେ କେନ୍ଦ୍ରାପଡା ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ସଂପୃକ୍ତ ବରଫ କଳ ମାଲିକ ମରଣାନ୍ତକ ଆକ୍ରମଣ କରିବା ଘଟଣା ପ୍ରତିବାଦରେ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଶନିବାର ୟୁନାଇଟେଡ ଇଲେକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନ,କେନ୍ଦ୍ରାପଡା ପକ୍ଷରୁ ସଦର ଥାନାକୁ ଘେରାଉ କରାଯାଇଥିଲା । ଅଭିଯୁକ୍ତକୁ ଯେତେ ଶୀଘ୍ର ସମ୍ଭବ ଗିରଫ କରାଯିବ ବୋଲି ଥାନା ଅଧିକାରୀଙ୍କ ପ୍ରତିଶୃତି ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ଏହାପରେ ୟୁନିଅନ ପକ୍ଷରୁ ବାରମ୍ବାର ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ସଂପୃକ୍ତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ ଲିଖିତ ଭାବେ ଦାବି କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ନିଆଯାଇନାହିଁ । ଏ ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକଙ୍କ ଅଭିଯୋଗକ୍ରମେ ୨୦୯/୨୦୧୯ରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୩୫୪, ୫୦୬ ଦଫାରେ ଏକ ମାମଲା ରୁଜୁକରାଯାଇଥିଲେ ମଧ୍ୟ ପୋଲିସର ଭୂମିକାକୁ ନେଇ ସେସୁ କର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ବୁଧବାର ଅପରାହ୍ନରେ ୟୁନାଇଟେଡ ଇଲେକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱାଳ ଜିଲ୍ଲାପାଳଙ୍କୁ ଭେଟି ଘଟଣାର ଅଭୁିଯୁକ୍ତକୁ ତୁରନ୍ତ ଗିରଫ କରାନଗଲେ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ ପ୍ରଶାସନ ଦାଇରହିବ ବୋଲି ଏକ ଚେତାବନୀ ଦେଇଥିବା ଜଣାପଡିଛି । ଏହାଦ୍ୱାରା ଜିଲ୍ଲାରେ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହେବାର ସମ୍ଭାବନାକୁ ଏଡାଇଦିଆନପାରେ । ଓଡ଼ିଶା ସମାଚାର