Tuesday , October 26 2021
Breaking News
Home / ବିଶେଷ / ଚିତା ଲାଗି ଅମାବାସ୍ୟା –

ଚିତା ଲାଗି ଅମାବାସ୍ୟା –

 ଓଡ଼ିଶାର ହିନ୍ଦୁ ପର୍ବପର୍ବାଣୀ ଗୁଡ଼ିକ ଧାର୍ମିକ ଚେତନା, ସାମାଜିକ ବ୍ୟବସ୍ଥା ତଥା ଚଳଣି ଏବଂ କୃଷି ଇତ୍ୟାଦିକୁ ଭିତିକରି ପାଳିତ ହୁଏ । ଏଦୃଷ୍ଟିରୁ ଚିତାଲାଗି ଅମାବାସ୍ୟା ଉଭୟ ଧାର୍ମିକ ଏବଂ କୃଷି ଭିତିକଅଟେ । ଧାର୍ମିକ ଦୃଷ୍ଟିରୁ ଏହା ଜଗନ୍ନାଥଙ୍କୁ କେନ୍ଦ୍ରକରି ପାଳିତ ହୁଏ । ଜଗନ୍ନାଥ ଓଡ଼ିଆ ହିନ୍ଦୁ ଜାତିର ଇଷ୍ଟ ଓ ଗଣଦେବତା, ତାଙ୍କୁ ନେଇ ବର୍ଷ ସାରା ଯାତ୍ରା ବା ମହୋତ୍ସବ ଚାଲିଥାଏ । ଏଣୁ କଥାରେ କୁହାଯାଏ ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ୍ରା ହୁଏ । ଶ୍ରୀମନ୍ଦିରରେ ବିଜେ ଶ୍ରୀଜଗନ୍ନାଥ,ବଳଭଦ୍ର ଏବଂ ସୁଭଦ୍ରା ସେମାନଙ୍କ ଦୈନନ୍ଦିନ ଭୂଷଣରେ ମଥାର କପାଳରେ ସ୍ୱର୍ଣ୍ଣଚିତା ପରିଧାନ କରିଥାନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନ ତ୍ୟାଗକରି ଦେବସ୍ନାନ ମଣ୍ଡପକୁ ସ୍ନାନଯାତ୍ରା ପାଇଁ ବିଜେ କରନ୍ତି । ସେତେବେଳେ ସ୍ନାନଯାତ୍ରାକୁ ବିଜେ ପୂର୍ବରୁ ଏହି ସ୍ୱର୍ଣ୍ଣ ଚିତାମାନଙ୍କୁ ସେମାନଙ୍କ ଠାରୁ ଅପସାରଣ କରି ନିଆଯାଇ ଭଣ୍ଡାର ଘରେ ସାଇତି ରଖାଯାଏ । ଜିଉମାନେ ସ୍ନାନ ମଣ୍ଡପରୁ ଅଣସର ଘରକୁ ପନ୍ଦର ଦିନ ପାଇଁ ବିଜେକରନ୍ତି । ଆଷାଢ଼ ଅମାବାସ୍ୟା ଦିନ ଜୀଉମାନଙ୍କର ନିବଯୌବନ ବେଶ ଓ ଦର୍ଶନହୁଏ । ଏହି ଦିନ ମଧ୍ୟ ନେତ୍ରୋତ୍ସବ ପାଳିତହୁଏ । ପ୍ରତିପଦ ଦିନ ଉଭା ଯାତ୍ରା ଏବଂଦ୍ୱିତୀୟା ତିଥିରେ ଶ୍ରୀ ଗୁଣ୍ଡିଚା ଯାତ୍ରା ହୁଏ । ଶ୍ରୀଗୁଣ୍ଡିଚାଠାରୁ ପୁନଶ୍ଚ ମନ୍ଦିର ପ୍ରତ୍ୟାବର୍ତନ ଯାଏଁ ଜୀଉମାନେ ଏଗାର ଦିନ ମନ୍ଦିର ବାହାରେ ରୁହନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଅପସାରିତ ହୋଇଥିବା ଚିତାମାନେ ଦୀର୍ଘ ଦେଢ଼ ମାସପରେ ଶ୍ରାବଣ ଅମାବାସ୍ୟା ଦିନ ପୁନଶ୍ଚ ଲାଗିହୁଏ । ଏହାକୁ ଚିତାଲାଗି ବା ମନ୍ଦିରର ଚିତ୍ରକ ପର୍ବ କୁହନ୍ତି । ଏହା ମଧ୍ୟ ମହା ସମାରୋହରେ ପାଳିତ ହୁଏ । ଏଥିପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପାରମ୍ପରିିକ କ୍ରିୟା ଅଛି । ଉକ୍ତଦିନ ସକାଳ ଧୂପ ବସିଥିବା ବେଳେ ଭଣ୍ଡାର ମେକାପ ଭଣ୍ଡାର ଘରେ ସାଇତା ରଖାଯାଇଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବାହାର କରାଯାଇଥିବା ଜୀଉମାନଙ୍କ ଚିତାକୁ ଆଣି ଦେଉଳ କରଣକୁ ଦିଅନ୍ତି । ସେ ସୁନାରୀ ମାନଙ୍କୁ ଡାକି ଚିତାଗୁଡ଼ିକୁ ମାଜି ମୁଜି ଉଜ୍ଜ୍ୱଳ କରନ୍ତି । ଭୋଗ ମଣ୍ଡପ ଧୂପ ଘରେ ଠାକୁରମାନଙ୍କର ମଇଲମ କରାଯାଏ । ଏହି ସମୟରେ ବାଡ଼ଗ୍ରାହୀ ଦଇତାପତି ଘୋଡ଼ା ଉପରେ ଉଠି ଜୀଉମାନଙ୍କ ଚିତା ନେଇ, ସୁଦୁ ସୁଆର ଦେଇଥିବା ଓଷ ଚିତା ଗୁଡ଼ିକରେ ଦିଅନ୍ତି; ପାଟରା ଦେଇଥିବା ପାଟ ଡୋରମାନ ଚିତାରେ ବାନ୍ଧନ୍ତି ଓ ଶ୍ରୀମୁଖ ଲାଗି କରନ୍ତି । ବଡ଼ ଠାକୁର ବଳଭଦ୍ରଙ୍କୁ ନୀଳା ଖଚିତ, ସୁଭଦ୍ରାଙ୍କୁ ଲାଲପାନ୍ନା ଖଚିତ ଏବଂ ଜଗନ୍ନାଥଙ୍କୁ ଶୁଭ୍ର ହୀରା ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଏ । ଏହାପରେ ଠାକୁରମାନଙ୍କର ମହାସ୍ନାନ କରାଯାଏ । ଏହି ଉତ୍ସବ ଚୋଳ ଗଙ୍ଗଦେବ ସମୟରୁ ଅର୍ଥାତ୍ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ପାଳିତ ହୋଇ ଆସୁଅଛି । ଏହିଦିନ ଯେଉଁ ଶ୍ରାଦ୍ଧପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କୁହନ୍ତି । ଉକ୍ତ ଦିନ ଓଙ୍ଗ଼ିଶାର ପୁରପଲ୍ଲୀରେ ଓଡ଼ିଆ ହିନ୍ଦୁଘରେ ଚିତଉ ପିଠା ପ୍ରସ୍ତୁତ ହୋଇ ଦେବଦେବୀଙ୍କୁ ସମର୍ପଣ କରାଯାଏ ଏବଂ ବିଶେଷ କରି ବରୁଣ ଦେବତାଙ୍କୁ ପୂଜା କରାଯାଏ ।କାରଣ ତାଙ୍କ କୃପାବଳରେ ଭଲ ପାଣିପାଗ ଏବଂ ଭଲ ଫସଲ ଅମଳ ହୁଏ । ଘର ଓ ମନ୍ଦିରରେ ସର୍ବତ୍ର ଏହି ପର୍ବପାଳିତ ହୁଏ ବୋଲି ଏହାକୁ ଚିତା ଲାଗି ପର୍ବ କୁହନ୍ତି । ଘରେ ଏହି ପିଠା ମଧ୍ୟ ପିତୃ ପୁରୁଷଙ୍କୁ ସମର୍ପିତ ହୁଏ । କଥାରେ ଅଛି:ଚିତ୍ରକ ପିଷ୍ଠକୈ ଦେବ ଓ ପିତୃପୂଜ୍ୟ । ଅର୍ଥାତ୍ ଚିତଉ ପିଠା ଦେବତା ଓ ପିତୃ ପୁରୁଷ ମାନଙ୍କୁ ସମର୍ପଣ ପୂର୍ବକ ଶ୍ରାଦ୍ଧ ଇତ୍ୟାଦି ପୁଣ୍ୟ କର୍ମ କର । ଏହି ପର୍ବଟି କୃଷି ପାଇଁ ସମର୍ପିତ । ଏହି ପର୍ବ ପାଳନରେ କିଛିଟା ତାତ୍ପର୍ଯ୍ୟ ଅଛି । ଚାଷକାମରେ କଢ଼ାଣ, ଦୋକଡ଼ ଏବଂ ଓକଡ଼ କେତେ କଥା ଆମେ ଜାଣୁ । ଯେତେ ଚଷିବ, ସେତିକି ଚାଷର କାଟ୍ତି ବଢ଼ିବ । ଚାଷପାଇଁ ଜମିକୁ ପୂର୍ବ ପ୍ରସ୍ତୁତି କରାଯାଏ । ଏମିତିକି କଥିତ ଅଛି : ମାଘର ଚାଷ ସୁନାର କଷ । ବୈଶାଖରେ ଅକ୍ଷୟ ତୃତୀୟା ଦିନ ଧାନ ବୁଣା ଅନୁକୂଳ ହୁଏ । ଜ୍ୟେଷ୍ଠ ଶେଷ ବା ଆଷାଢ଼ ଆରମ୍ଭରେ ଦ୍ୱିତୀୟ ପର୍ବ ରଜ ପାଳିତ ହୁଏ । ରଜପରେ ବର୍ଷା । ପ୍ରବାଦ ସତ୍ୟଟିଏ ଅଛି: ‘ଆଷାଢ଼ କଢ଼ାଣ ନାମକୁ ଶ୍ରାବଣେ କଢ଼ାଣ ଧାନକୁ ।’ ଅର୍ଥାତ୍ ଶ୍ରାବଣ ମାସରେ କଢ଼ାଣଟି ଚାଷପାଇଁ ଅନୁକୂଳ । ପୁନଶ୍ଚ ଧାନଚାଷ ଦୁଇ ପ୍ରକାର । ବୁଣାଧାନ ଏବଂ ରୋପଣ ଧାନ । ବୁଣାଧାନ ବୈଶାଖରୁ ଆରମ୍ଭ । ରୋପଣ ଧାନ ଶ୍ରାବଣରେ । ରୁଆ ଧାନ ଥୁଆ । ଏଣୁ କୁହାଯାଏ: ଶ୍ରାବଣେ ପୁର,ଭାଦ୍ରବେ ବାର /ଏହା ମଧ୍ୟରେ ଯେତେ ପାର । ଅର୍ଥାତ୍ ଶ୍ରାବଣ ପୁରା ମାସ ଏବଂ ଭାଦ୍ରବ ବାରଦିନ ଯାଏଁ ଯେତେ ରୋପୁଛ ରୋପ । ଭଲ ଅମଳ ପାଇବ । ଏହା ବେଉଷଣ ପରେ ବଛା ଓ ଖେଳାର ଋତୁ । ଏହାପରେ ଧାନ ପିଲାଏ ଏବଂ ବଢ଼େ । ଏହିସବୁଥି ପାଇଁ ଶୁଭ ମନାସୀ ଚଷା ପୁଅ ଚିତାଲାଗି ଅମାବାସ୍ୟା ପର୍ବ ପାଳନ କରେ । ଏହା ଭାଗବତ ମତେ ମୁଖ୍ୟତଃ ଭୂମିପୂଜା : ଅନାଦି କାମେ ଯା’ର ଚିନ୍ତା /ସେବେଅଦିତି ଦେବମାତା । ଯେବା ସର୍ବଦା ପୁଷ୍ଟିକାମୀ / ସର୍ବଲକ୍ଷଣେ ପୂଜେ ଭୂମି । ।(୨,୩,୫)ମୁଖ୍ୟତଃ ଏହି ପର୍ବରେ ଚିତଉ ପିଠା ଗୃହିଣୀମାନେ ପ୍ରସ୍ତୁତ କରନ୍ତି ଏବଂ ଏହି ପିଠାକୁ ଧାନ କ୍ଷେତ୍ରରେ ଏମିତିକି ବାଡ଼ି ବଗିଚାରେ ଫସଲ କିଆରୀରେ ମାଟି ମା’ ପାଇଁ ସମର୍ପଣ କରି ପୋତନ୍ତି । ତା’ ସହିତ ଠାକୁର ବା ଇଷ୍ଟଦେବତା ମାନଙ୍କୁ ଭୋଗ କରନ୍ତି । ଅନ୍ୟ ଏକ କାରଣରେ ଏହି ସମୟରେ ଜମିରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି । ଏମାନେ ଚାରାସବୁ କାଟି ପକାନ୍ତି । ପୁନଶ୍ଚ ବଛା ଖେଳା ବେଳେ ଚାଷୀର ଗୋଡ଼, ଆଣ୍ଠୁ ବାହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇବା ଆଣ୍ଠେଇ ବିଲ ବାଛିବା ହାତ ଓ ଗୋଡ଼ର କାମ । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡାଗୋଡ଼ ଆଣ୍ଠୁ ଇତ୍ୟାଦି କାଟି ଦିଏ । ଏହି ଦୁଇଟିରୁ ରକ୍ଷା କରିବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା କରି ପୋଖରୀ ବା ଚାଷ ଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠାପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠୁ ନିବୃତ ନିଅନ୍ତି । କାହାଣୀ ଓ ପରମ୍ପରା ଅନୁଯାୟୀ ସେଦିନ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲା ମାନେ ପିଠା ନିକ୍ଷେପକରି ବାପଭାଇ ଓ ବନ୍ଧୁବାନ୍ଧବମାନଙ୍କର ଗୋଡ଼ ନ କାଟିବାକୁ ଗେଣ୍ଡା ମାନଙ୍କୁ ଅନୁରୋଧ କରନ୍ତି :- ମୋ ଗୋଡ଼ କାଟିବୁନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,ମୋବୋଉ ଗୋଡ଼ କାଟିବୁ ନାହିଁ, ମୋ ଭାଇଗୋଡ଼ କାଟିବୁ ନାହିଁ; ମୋ ଅପା ଗୋଡ଼ କାଟିବୁନାହିଁ…. ଆମ ଫସଲ କାଟିବୁ ନାହିଁ ।ଏଥିପାଇଁ ଗେଣ୍ଡାମାନଙ୍କର ଦେବୀ ଗେଣ୍ଡେଇଷୁଣୀଙ୍କୁ ଏହି ଅବସରରେ ପୂଜାକରନ୍ତି । ପିଠାକୁ ପାଣିକୁ ଫିଙ୍ଗିବା ଓ ଜମିରେ ପୋତିବା ସତ । ତେବେ କେତେକ ଯାଗାରେ ଭୂମିପୂଜା ପିଠାକୁ କୋଡ଼ିକୁ ପଲମ ରୂପେ ବ୍ୟବହାର କରି ପ୍ରସ୍ତୁତ କରାଯାଏ ।ଅବଶ୍ୟ ଦେଶକେ ଫାଙ୍କ୍ ଓ ନଈକେ ବାଙ୍କ ପରି କିଛି କିଛି ବ୍ୟତିକ୍ରମ ଥାଏ ।ତେବେ ଘର, ମନ୍ଦିର ଓ ଚାଷ ଜମିଯାଏସବୁଠି ଚିତଉପିଠା ସମର୍ପଣ । ଏବେ ଜାଣିବା ଏ ଚିତଉ ପିଠା କ’ଣ? କେମିତିହୁଏ ଏ ପିଠା? ସ୍ୱାଦ କେମିତି ଯାର?ସ୍ୱାଦ ବିଷୟରେ କୁହାଯାଇଛି ଯେ :ଚିତଉ ପିଠା, ଯେମିତି ଖାଇଲେ ସେମିତି ମିଠା ।ଏ ପିଠା ପାଇଁ ଚାରି ପାଂଚଘଂଟା ଅରୁଆ ଚାଉଳକୁ ବତୁରାଯାଏ । ଖଦଡ଼ା ନରଖି ଚିକ୍କଣକରି ବଟାଯାଏ । ପ୍ରତି ୨୫୦ ଚାଉଳ ପାଇଁ ଗୋଟିଏ ମଧ୍ୟମ ଧରଣର ନଡ଼ିଆର ରସ ଦିଆଯାଏ । କୋରା ନଡ଼ିଆ ମଧ୍ୟ ଦିଆଯାଇପାରେ । ନଡ଼ିଆ ରସ ଓ ବଟାଚାଉଳର ମିଶ୍ରଣକୁ ପିଠୋଉ କୁହନ୍ତି ।ଏହାପରେ ପଲମ ଚୁଲିରେ ତତାଯାଏ । ପଲମ ଗରମ ହେଲା ପରେ ଭାଗ ମାପରେ ପିଠୋଇଉ ଢ଼ାଳି ତାଟିଆ ଆଧାରରେ ଆବଶ୍ୟକମତେ ବହଳା ବା ପତଳା କରି ବଛେଇ ଦିଆଯାଏ ।ତହିଁ ଉତାରୁ ମାଟିସରା ଘୋଡ଼ାଇ ଓଦାକନା ପକାଇ ଦିଆଯାଏ । ଆବଶ୍ୟକ ମତେ ମଝିରେ ମଝିରେ କନା ଉପରେ ପାଣି ବି ଛାଟି ଦିଆଯାଏ । ଏମିତି କିଛି ସମୟପରେ ପିଠାହୋଇଯାଏ ଏବଂ ଏହାକୁ ପିଠା ଖଡ଼ିକା ଦ୍ୱାରା ସାମାନ୍ୟ ଚାପଦେଇ କେଂଚି ବାହାର କରାଯାଏ । ଏହା ଫୁଲକା ହୋଇଥାଏ । ଏହା ଚିତଉର ପ୍ରସ୍ତୁତି ବୋଲି ଅଥବା ଚାଉଳ ଚିତାରୁ ପ୍ରସ୍ତୁତବୋଲି ଏହାକୁ ଚିତଉ କୁହନ୍ତି । ଏହା ନରମ ଓ ସୁସ୍ୱାଦୁ । ଏଥିରେ ଚିନି ବା ଗୁଡ଼ ପଡ଼େନାହିଁ କି ଦୁଇପଟ ସେକା ଯାଏନାହିଁ ।ଏହାହେଉଛି ସାଧା ଚିତଉ । ଏଥିପାଇଁ ପଲମରେ ତେଲ ଲଗାଯାଏ ନାହିଁ, ପାଣି କନା ବୁଲାଯାଏ । ଚିତଉ ଏକ ସେକାପିଠା । ନଡ଼ିଆଗୁଡ଼ରେ ବି ଚିତଉ କରାଯାଏ । ମାତ୍ର ଏହାସାଧାପରି କଅଁଳ ଏବଂ ଫୁଲକା ନୁହେଁ । ଚିତଉ ଅନେକ ପ୍ରକାର : ଚକୁଳି, ସରୁଚକୁଳି, ବୁଢ଼ାଚକୁଳି ଏବଂ ଛୁଂଚିପତ୍ର ଚକୁଳି । ଚିତଉ ଚକୁଳିର ଅନ୍ୟନାମ ଚିତଉ ପିଠା । ଚଳୁଳିରେ ବିରି ମିଶିଲେ ବିରି ଚକୁଳି । ଜଳେଶ୍ୱର ଅଂଚଳରେ ତାଳ ଚକୁଳି ଚିତଉର ପ୍ରଚଳନଅଛି । ଚିତଉ ସହିତ ଆମିଷ ଭୋଜନ ନୁହେଁ,ଡାଲମା କିମ୍ବା ଘାଂଟ ତରକାରୀ ଏହା ଯୋଡ଼ି । ଖାଇବାଠାରୁ ଖୁଆଇବାର ମହତ୍ୱ ଶିଖିଛି ଓଡ଼ିଆ ।ଏଇଥିପାଇଁ ସେ ପିଠା କେବଳ ନିଜ ପାଇଁ କରେ ନାହିଁ । କାହାର ଆତିଥ୍ୟ ପାଇଁ କରେ । ଅତିଥି ଦେବୋ ଭବ । ସେ ବାଂଟେ, ଖୁଆଏ କାହାକୁ; ଏଥିରେ ତା’ର ଆତ୍ମ ସନୋଷ ଅଛି । ଉପର ଧର୍ମ ଦେବତା ତଳେ ମା’ ବସୁଧା ବିଦ୍ୟମାନ । ଏହାର ପୂଜା ଚିତାଲାଗି ଅମାବାସ୍ୟା । କର୍ମକ୍ଲାନ୍ତ ଜୀବନରେ ସାମୟିକ ଅବକାଶ ପାଇଁ ତଥା ସମାଜ ଗଠନରେ ଆମ ପର୍ବପର୍ବାଣୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

-୦-

– ବିପିନବିହାରୀମହାନ୍ତି – ଅଧ୍ୟକ୍ଷ, ଓଡ଼ିଶା ଭାଷାସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,ବିପିନବିହାରୀ ପାଠାଗାର, ଜଟଣୀ

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *