କେନ୍ଦ୍ରାପଡା୩୧/୦୭/୨୦୧୯ (ଓଡ଼ିଶା ସମାଚାର)-କହ୍ନେଇପୁର – ନରେନ୍ଦ୍ରପୁର ସଂଯୋଗୀକରଣ ରାସ୍ତା ନିର୍ମାଣ ନିମନ୍ତେ ବିଧାୟକଙ୍କ ପାଣ୍ଠିରୁ ମଞ୍ଜୁର ହୋଇଥିବା ୫ଲକ୍ଷ ଟଙ୍କା ସରକାରୀ ଅନୁଦାନକୁ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଚଳୁ କରିଦେବାକୁ ପ୍ରୟାସ ଚଳାଇଥିବା ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କହ୍ନେଇପୁର ଠାରୁ ମାର୍ଶାଘାଇ ବ୍ଲକର ନରେନ୍ଦ୍ରପୁର ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ ନିମନ୍ତେ ବହୁଦିନ ଧରି ସଂପୃକ୍ତ ଅଚଂଳର ଅଧିବାସୀମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ସେହି ରାସ୍ତାରେ ନିର୍ମାଣ ନିମନ୍ତେ ବିଧାୟକଙ୍କ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହେବା ପରେ ସେହି ଅନୁଦାନରେ ଠିକାଦାର ସୁଧିର କୁମାର ବେହେରାଙ୍କ ନାମରେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ ସଂପୃକ୍ତ ଠିକାଦାର ସେହି ରାସ୍ତାରେ କେବଳ ସ୍ପଲ ଓ ମୋରମ ମୁଠାଏ ଲେଖାଁ ଛିଚିଂଦେଇ ୫ଲକ୍ଷଟଙ୍କା ସରକାରୀ ଅନୁଦାନକୁ ବିଲ କରିନେବାକୁ ଯନ୍ତ୍ରୀଙ୍କ ସହ ମିଶି ଚେଷ୍ଟା କରୁଥିବା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସେହିଭଳି ଅନ୍ୟ ଏକ ଏରା- ପେଟୁଆ ରାସ୍ତା ନିର୍ମାଣ ନିମନ୍ତେ ବିଧାୟକଙ୍କ ପାଣ୍ଠିରୁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ସଂପୃକ୍ତ ରାସ୍ତାର ନିର୍ମାଣ ନିମନ୍ତେ ଠିକାଦାର ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ନାମରେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଛି । କିନ୍ତୁ ଠିକାଦାର ଶ୍ରୀ ସ୍ୱାଇଁ ଯନ୍ତ୍ରୀଙ୍କ ସହିତ ମିଶି ମୁଠାଏ ମୁଠାଏ ସ୍ପଲ ଏବଂ ମୋରମ ଏରା – ପେଟୁଆ ରାସ୍ତାରେ ବିଂଚିଦେଇ ଅନୁଦାନ ଅର୍ଥକୁ ଫାଇନାଲ ବିଲ କରିନେବାକୁ ଚେଷ୍ଟା କରୁିଥିବା ମଧ୍ୟ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏରା,କୋରୁଆ ଓ ପୁରୁଷୋତମପୁର ଗ୍ରାମବାସୀମାନେ । ଗ୍ରାମବାସୀଙ୍କ ପକ୍ଷରୁ ନରହରି ଲେଙ୍କା,ପ୍ରକାଶ ଚନ୍ଦ୍ର ଲେଙ୍କା,ପ୍ରଭାତ କୁମାର ଲେଙ୍କା,କଣ୍ଡୁରୀ ଚରଣ ପରିଡା,ସୁବ୍ରତ ଲେଙ୍କା,ହରିଶଚନ୍ଦ୍ର ଲେଙ୍କା,ରଶ୍ମିରେଖା ପରିଡା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଏହି ଦୁଇଟି ଘଟଣାର ବିଧିବଧ ତଦନ୍ତ କରାଯିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର