– ବିଡ଼ିଓ ଙ୍କ ପାଖରେ ଖବର ନାହିଁ – ଆୟ ଅର୍ଥ ତୋଷରପାତ କରୁଛନ୍ତି ସରପଂଚଙ୍କ ସ୍ୱାମୀ
ନିଶ୍ଚିନ୍ତକୋଇଲି,୩୦/୦୭/୨୦୧୯ (ଓଡ଼ିଶା ସମାଚାର)- ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ପଂଚାୟତ ପରିସରରେ ଗୃହ ନିର୍ମାଣ କରାଯାଉଛି ତେବେ ଏହାର ଯଥାର୍ଥତା ପ୍ରତିପାଦନ ହେବା ପରିବର୍ତେ କିପରି ଦୁରୁପଯୋଗ ହେଉଛି ସେ ସମ୍ପର୍କରେ ପ୍ରଶାସନିକ ମୁଖ୍ୟଙ୍କ ପାଖରେ ଖବର ନାହିଁ । ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମଣିଜଙ୍ଗ ପଂଚାୟତରେ । ଗତ ବର୍ଷକ ତଳୁ ନବ ନିର୍ମିତ ଗୃହକୁ କାର୍ଯ୍ୟାଳୟ କରିବା ପରିବର୍ତେ ଅଂଚଳରେ କାମ କରୁଥିବା ଜନୈକ ଠିକାଦାରଙ୍କୁ ଭଡ଼ା ସୂତ୍ରରେ ଦେଇଦିଆଯାଇଛି । ଯେଉଁଥିରେ ଠିକାଦାରଙ୍କ ଅଧିନରେ କାମ କରୁଥିବା ୧୨ ଜଣ ଶ୍ରମିକ ଅୟସ ଜୀବନ ବିତାଉଥିବା ଦେଖାଯାଇଛି । ଏ ସମ୍ପର୍କରେ ପଂଚାୟତର ନାଏବ ସରପଂଚ ନିଖିଲ ଦାସ ଅଭିଯୋଗ କରିବା ପରେ ତଥ୍ୟ ପଦାକୁ ଆସିଛି । ୱାର୍ଡ଼ ସଭ୍ୟ କେଦାରନାଥ ସେଠୀ,ସୁରେନ୍ଦ୍ର ସାହୁ, ଯୋଗେନ୍ଦ୍ର ମଳିକ ,ସରୋଜିନୀ ନାୟକ, ସୁବ୍ରତ ସାହୁ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା କୁହନ୍ତି ଯେ ୨ ଟି ପଂଚାୟତ ଦାୟିତ୍ୱରେ ଥିବାରୁ ଏହି ଘରର ଚାବି ସରପଂଚ ରଂଜିତା ନାୟକଙ୍କୁ ହସ୍ତାନ୍ତର କରିଥିଲେ । ସରପଂଚଙ୍କ ସ୍ୱାମୀ ଏହି ଗୃହକୁ ଭଡ଼ା ଦେବା ପରେ ଏହାକୁ ବାରଣ କରିବା ସହିତ ଚାବି ଫେରାଇ ଦେବା ପାଇଁ ବାରମ୍ବାର କହିବା ପରେ ମଧ୍ୟ ସେ ଚାବି ଫେରାଇ ନାହାନ୍ତି । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ବିଡ଼ିଓ ଙ୍କୁ ଅଭିଯୋଗ କରିଥିବାର ସେ ପ୍ରକାଶ କରିଛନ୍ତି । ବିଡ଼ିଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ପାଖରେ ଖବର ନଥିବା ଏବଂ ସେ ତଦନ୍ତ କରି ଦେଖିବେ ବୋଲି ପ୍ରକାଶ କରିଛନ୍ତି । ୱାର୍ଡ଼ ସଭ୍ୟ ସଭ୍ୟାଙ୍କ ଅଭିଯୋଗ ଅନୁଯାୟୀ ପଂଚାୟତର ପ୍ରତ୍ୟେକ କାର୍ଯ୍ୟରେ ସରପଂଚଙ୍କ ସ୍ୱାମୀ ହସ୍ତକ୍ଷେପ କରିବା ଓ ପଂଚାୟତ ବୈଠକ କରାନଯାଇ ରିଜଲ୍ୟୁସନ ଖାତାରେ ଦସ୍ତଖତ କରାଇ ନେଉଥିବାର ସେମାନେ ଅଭିଯୋଗ କରିଛନ୍ତି । ଏହି ଗୃହକୁ ଝାଡ଼ଖଣ୍ଡରୁ ଆସିଥିବା ଶ୍ରମିକ ୧୨ ରହୁଛନ୍ତି । ଉକ୍ତ ଘଟଣା ସମ୍ପକରେ ତଦନ୍ତ କରି ନବ ନିର୍ମିତ ଗୃହକୁ ମୁକ୍ତ କରାଯିବା ସହ ଆଦାୟ ଭଡ଼ା ଅର୍ଥ ପଂଚାୟତ ଆକାଉଂଟ ରେ ଡ଼ିପୋଜିଟ କରାଯିବା ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କ ନିକଟରେ ଦାବି ହୋଇଛି । ଓଡ଼ିଶା ସମାଚାର