ଭୁବନେଶ୍ୱର,୩୦/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ କୋଠାରେ ଦେଖା ଦେଇଥିବା ସମସ୍ୟାର ତୁରନ୍ତ ସମାଧାନ ହୋଇପାରିଛି । ବିଧାନସଭାରେ କଂଗ୍ରେସ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମେଡିକାଲ କଲେଜ କୋଠାରେ ପାଣି ଗଳିବା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉତସ୍ଥାପନ କରିବାପରେ ଏହା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ତତକାଳ ପଦକ୍ଷେପ ଗ୍ରହଣ କରିଛନ୍ତି ।
ମେଡିକାଲ କଲେଜ ସଂକ୍ରାନ୍ତରେ ଆଜି ପୂର୍ତମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ବିଧାନସଭା ପ୍ରକୋଷ୍ଠରେ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଶ୍ରୀ ମିଶ୍ର କରିଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ହୋଇଛି । ପାଣି ଗଳୁଥିବା ସ୍ଥାନକୁ ପୂର୍ତ ବିଭାଗ ପକ୍ଷରୁ ମରାମତି କରିଦିଆଯାଇଛି । ସେହିଭଳି ଏହି ମେଡିକାଲ କଲେଜ ପାଇଁ ଆଗାମୀ ବର୍ଷ ଛାତ୍ରାବାସର ଆବଶ୍ୟକତା ଥିବାରୁ ତୁରନ୍ତ ଏଥିପାଇଁ ଜମି ଚିହ୍ନଟ ସହ କାର୍ଯ୍ୟ ଆରମ୍ଭ ଲାଗି କୁହାଯାଇଛି । ଏହି ମେଡିକାଲ କଲେଜର ଭିତିିଭୂମି ବିକାଶ ନେଇ ସ୍ୱାସ୍ଥ୍ୟ ଓ ପୂର୍ତ ବିଭାଗର ଅଧିକାରୀମାନେ ଆଲୋଚନା କରିଥିବାବେଳେ ଏଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ଲାଗି ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜିର ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ, ପୂର୍ତୀମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ମେଡିକାଲ କଲେଜର ଅଧୀକ୍ଷକ, ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ସମେତ ମୁଖ୍ୟଯନ୍ତ୍ରୀ (କୋଠାବାଡି)ଙ୍କ ସମେତ ଦୁଇ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର