ଧରା ପଡିବାରୁ ୮୦ ହଜାର ଟଙ୍କା ଜୋରିମାନା
କେନ୍ଦ୍ରାପଡା, ୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକର କାର୍ଯ୍ୟରତ ଜଣେ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ବେଆଇନ ବିଦ୍ୟୁତ ସଂଯୋଗ ନେଇ ଏସି ଚଳାଇବା ଓ ବିଦ୍ୟୁତ ବିଭାଗ କର୍ମଚାରିଙ୍କ ଦ୍ୱାରା ଧରାପଡିବା ଘଟଣା ମହଙ୍ଗା ପଡିଥିବା ଦେଖିବାକୁ ମିଳିଛି । ଏହି ବେଆଇନ ବିଦ୍ୟୁତ ସଂଯୋଗ ନେଇ ନିର୍ବାହୀ ଅଧିକାରୀ ଜଣକ ଦୀର୍ଘ ଦିନ ଧରି ସରକାରୀ କ୍ୱାଟରରେ ଏସି ଚଲାଇ ଆସୁଥିଲେ । ହେଲେ କୌଣସି ସୂତ୍ରରୁ ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀମାନେ ଅଚାନକ ତାଙ୍କ ବାସ ଭବନ ଉପରେ ଚଢାଉ କରି ବେଆଇନ ବିଦ୍ୟୁତ ସଂଯୋଗ ଦେଖିବାକୁ ପାଇ ନିର୍ବାହୀ ଅଧିକାରୀଙ୍କୁ ଏଥି ନିମନ୍ତେ ୮୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାପଡିଛି । ସଂପୃକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଜଣକ ଗୋପସ୍ଥିତ ବ୍ଲକ କଲୋନୀରେ ଦୀର୍ଘଦିନ ଧରି ରହି ଆସୁଛନ୍ତି । ବେଆଇନ ହୁକ ପକାଇ ଏସି ଚଳାଉଥିବାର ଜାଣି ପାରି ବିଦ୍ୟୁତ କର୍ମଚାରୀମାନେ ଗତ ୩ ଦିନ ତଳେ ତାଙ୍କ ଘର ଉପରେ ଚଢାଉ କରିଥିଲେ । ପଂଚାୟତ ଅଧିକାରୀ ଜଣକ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଓ ଚାରିଗାଁ ପଂଚାୟତ ଦାୟିତ୍ୱରେ ଅଛନ୍ତି । ସେ ବିଦ୍ୟୁତ କର୍ମଚାରୀଙ୍କୁ ଜଣେ ସରପଂଚଙ୍କ ମାଧ୍ୟମରେ ଯୋଗାଯୋଗ କରି ମାମଲାକୁ ରଫାଦଫା କରାଇବାକୁ ଜୋରଦାର ଉଦ୍ୟମ ଚଳାଇଥିବା ଜଣାପଡିଛି । ସଂପୃକ୍ତ ଧୂର୍ତ ଅଧିକାରୀ ଜଣକୁ ପୂର୍ବତନ ଜିଲ୍ଲାପାଳ ରଘୁଜୀ ଗତ ୨୦୧୮ ମସିହା ଜୁନ ମାସରେ ପଟ୍ଟାମୁଣ୍ଡାଇ ବ୍ଲକକୁ ବଦଳି କରିଥିଲେ । କିନ୍ତୁ କିଛି ଦିନ ପରେ ଜିଲ୍ଲାପାଳ ରଘୁଜୀଙ୍କର ଏଠାରୁ ବଦଳି ହୋଇଯିବାରୁ ନିର୍ବାହୀ ଅଧିକାରୀ ଜଣକ ଡିପିଓ ଏବଂ ତତକାଳୀନ ଉପଜିଲ୍ଲାପାଳଙ୍କୁ ଧରି ପୁନର୍ବାର କେନ୍ଦ୍ରାପଡା ବ୍ଲକକୁ ବଦଳି ହୋଇ ଆସିବାକୁ ସମର୍ଥ ହୋଇଥିଲେ । ବିଭିନ୍ନ ପଂଚାୟତରେ ହୋଇଥିବା ଗ୍ରାମୀଣ ଆବାସ ଘୋଟାଲାରେ ସେ ସଂପୃକ୍ତ ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସେ କେନ୍ଦ୍ରାପଡା ବ୍ଲକକୁ ଛାଡୁ ନଥିବା ରହସ୍ୟ କଣ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି । ଓଡ଼ିଶା ସମାଚାର