Friday , September 22 2023
Breaking News
Home / ତାଜା ଖବର / ୧୯ ଲକ୍ଷର ସୁନାଗହଣା ଲୁଟ୍

୧୯ ଲକ୍ଷର ସୁନାଗହଣା ଲୁଟ୍

ବାଲେଶ୍ୱର,୨୯/୭/୨୦୧୯(ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁରଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ରୁ ୪୨ଲକ୍ଷ ଟଙ୍କା ଲୁଟିନେବା ଘଟଣାର ୧୫ ଦିନ ନପୂରୁଣୁ ହଳଦୀପାଳ ଅଂଚଳରେ ଥିବା ଏକ ଜୁଏଲାରୀରୁ ୧୯ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟ୍ ହୋଇଛି । ସଞ୍ଜନା ଜୁଏଲାରୀ ସହିତ ଦୋକାନ ନିକଟରେ ଥିବା ଇଣ୍ଡିକ୍ୟାଶ୍ ବ୍ୟାଙ୍କ ଶାଖାର ଏକ ଏଟିଏମ୍ରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି । ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ସହାୟତାରେ ନିକଟସ୍ଥ ଏକ ବୁଦା ମୂଳରୁ ଏକ ଅକ୍ସିଜେନ ଟାଙ୍କି ଓ ଗ୍ୟାସ୍ ଟାଙ୍କିକୁ ପୁଲିସ ଜବତ କରିଛି । ଗହଣା ଦୋକାନ ମାଲିକ ହେମନ୍ତ କାମିଳାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି । ବର୍ତମାନ ସୁଦ୍ଧା ପୁଲିସ ଏହି ଡକାୟତଙ୍କର କୌଣସି ସନ୍ଧାନ ପାଇପାରିନାହିଁ । ହେମନ୍ତଙ୍କ ସୂଚନା ଅନୁସାରେ, ଶନିବାର ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରବିବାର ଭୋର ୪ଟା୩୦ରେ ସ୍ଥାନୀୟ ଲୋକଙ୍କ ନିକଟରୁ ତାଙ୍କ ଦୋକାନରେ ଲୁଟ୍ ହୋଇଥିବା ଖବର ପାଇଥିଲେ । ସେ ତୁରନ୍ତ ତାଙ୍କ ଦୋକାନ ନିକଟକୁ ଯିବାପରେ ଗ୍ରୀଲ୍ର ୧୦ଟି ତାଲାକୁ କଟାଯାଇଥିବା ଦେଖିବାକୁ ପାଇଥିଲେ । ଦୋକାନରେ ଥିବା ଆଇରନ୍ ଚେଷ୍ଟକୁ ସମ୍ପୂର୍ଣ୍ଣ କଟାଯାଇ ସେଥିରେ ଥିବା ୬ ଲକ୍ଷ ୧୫ହଜାର ଟଙ୍କା ମୂଲ୍ୟର ୧୫ କେଜି ଓଜନର ରୁପା ଓ୧୩ ଲକ୍ଷ ୬୦ହଜାର ଟଙ୍କା ମୂଲ୍ୟର ୪ଶହ ଗ୍ରାମର ସୁନା ଲୁଟ୍ ହୋଇଛି । ଏହାସହ ସେଠାରେ ଥିବା ୪ହଜାର ଟଙ୍କାର ନଗଦ କ୍ୟାଶ୍ ମଧ୍ୟ ଡକାୟତମାନେ ନେଇ ପଳାଇଛନ୍ତି । ତେବେ ପ୍ରାୟ ୬ରୁ ଅଧିକ ଡକାୟତ ଏହି ଡକାୟତି କରିଛନ୍ତି ବୋଲି ସେ ଅନୁମାନ କରାଯାଉଛି । ଏନେଇ ସେ ବସ୍ତା ଥାନାକୁ ଖବର ଦେବାପରେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନୀ କୁକୁର ନିକଟସ୍ଥ ଶାନ୍ତିଲତା ମହାବିଦ୍ୟାଳୟ ନିକଟରେ ଥିବା ଏକ ବୁଦା ମୂଳରୁ ଗ୍ୟାସ୍ ଟାଙ୍କି ଓ ଅକ୍ସିଜେନ ଟାଙ୍କିକୁ ଜବତ କରିଥିଲା । ସେହି ଡକାୟତ ଦଳ ରାତିରେ ଏହି ଘଟଣା ଘଟାଇ ସାରି ତାଙ୍କ ଦୋକାନକୁ ଲାଗି ରହିଥିବା ଇଣ୍ଡିକ୍ୟାଶ ବ୍ୟାଙ୍କ ଶାଖାର ଏକ ଏଙ୍କିଏମ୍ରୁ ଲୁଟ୍ କରିବା ପାଇଁ ଉଦ୍ୟମ କରିଥିଲେ । ଗ୍ରୀଲ ଭାଙ୍ଗି ଏଟିଏମ୍ ମଧ୍ୟ ପ୍ରବେଶ କରିଥିଲେ । ହେଲେ ସେଠାରୁ ସେମାନେ ଟଙ୍କା ନେଇପାରିନାହାନ୍ତି ବୋଲି ଜଣାଯାଇଛି । ଏଟିଏମ୍ ଲୁଟ୍ ନେଇ ବର୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇନାହିଁ । ତେବେ ଗତ ୧୫ଦିନ ମଧ୍ୟରେ ଏହି ଅଞ୍ଚଳରେ ବହୁ ଡକାୟତି ହେଉଥିବାରୁ ଏହା ପୁଲିସକୁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।
ପ୍ରକାଶଯୋଗ୍ୟ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ଠାରେ ଗତ ୧୧ତାରିଖରେ ୬ଜଣ ଡାକୟତ କଲେଜ ଛାତ୍ରଙ୍କ ବେଶରେ ଆସି ଏସ୍ବିଆଇ ବ୍ୟାଙ୍କର କର୍ମଚାରୀଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଦିନ ଦିପହରରେ ୪୨ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାରେ ବସ୍ତା ପୁଲିସ ଡକାୟତଙ୍କର କୌଣସି ସନ୍ଧାନ ପାଇପାରିନଥିବା ବେଳେ ଗହଣା ଦୋକାନ ଲୁଟ୍ର ଡକାୟତଙ୍କୁ ଧରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବସ୍ତା ଅଂଚଳରେ ଦିନକୁ ଦିନ ଡକାୟତି ବୃଦ୍ଧି ପାଉଥିବାରୁ ଲୋକେ ଏହାର ସମାଧାନ ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *