ଭୁବନେଶ୍ୱର , ୨୮/୭/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ପୋଷାକ ପ୍ରସ୍ତୁତି ନିମନ୍ତେ ରାଜ୍ୟ ବାହାରର ତିନୋଟି ଶିଳ୍ପ ସଂସ୍ଥା ପୁଞ୍ଜି ନିବେଶ କରି ଶିଳ୍ପ ପ୍ରତିଷ୍ଠା କରୁଛନ୍ତି ବୋଲି ହସ୍ତତନ୍ତ୍ର, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ବିଧାନସଭାକୁ ଜଣାଇଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କର ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀମତୀ ଦିଆନ କହିଲେ ଯେ, ରାଜ୍ୟରେ ପୋଷାକ ପ୍ରସ୍ତୁତ କରିବା ନିମନ୍ତେ ଅଦ୍ୟାବଧି ତିନୋଟି ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି । ତନ୍ମଧ୍ୟରୁ ଶାହୀ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ଼ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ସହ ଆଦିତ୍ୟ ବିର୍ଲା ଫେସନ୍ ପ୍ରାଇଭେଟ ଲିମିଟେଡ ଏବଂ ୱାଇଲ୍ଡ଼ ଲୋଟସ ପ୍ରାଇଭେଟ ଲିମିଟେଡ୍କୁ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ଏବଂ ଏହି ଦୁଇ ଶିଳ୍ପ ସଂସ୍ଥା ସେମାନଙ୍କର ଉତ୍ପାଦନ ଆରମ୍ଭ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କର ଅନ୍ୟ ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀମତୀ ଦିଆନ କହିଥିଲେ ଯେ, ରାଜ୍ୟ ସରକାର ରାଜ୍ୟରେ ବୟନଶିଳ୍ପର ଉନ୍ନତି ସାଧନ ନମନ୍ତେ ଉଦ୍ୟୋଗପତିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୬ ମସିହାରେ ଓଡ଼ିଶା ପୋଷାକ ନୀତି ପ୍ରଣୟନ କରିଛନ୍ତି । ଏହି ନୀତି ଅନୁସାରେ ପୋଷାକ ଶିଳ୍ପ ଓ ପାର୍କ ପ୍ରତିଷ୍ଠା କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ସମାଚାର