ସାଲେପୁର, ୨୮/୦୭/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏହି ଅଂଚଳର ପ୍ରମୁଖ ଚିକିତ୍ସାକେନ୍ଦ୍ର ଭାବେ ସମଗ୍ର ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଦୀର୍ଘଦିନ ଧରି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ମୁଖ୍ୟ ଚିକିତ୍ସା ଅଧିକାରୀ ପଦବୀ ଖାଲିପଡିଥିବାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କ ପଦୋନ୍ନତି ହୋଇ ଏଠାରୁ ସ୍ଥାନାନ୍ତର ପରେ ଉକ୍ତ ଦିନ ଠାରୁ ଏହି ଡାକ୍ତରଖାନାରେ ମୁଖ୍ୟଚିକିତ୍ସା ଅଧିକାରୀଙ୍କ ପଦବୀ ଖାଲିପଡିଛି । ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସଂପୃକ୍ତ ଅଧିକାରୀ ଜଣକ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବାରୁ ନିୟମିତ ଏହି ଡାକ୍ତରଖାନାକୁ ଆସିପାରୁନାହାଁନ୍ତି । ଫଳରେ ଏଠାରେ ନିଯୁକ୍ତ ଥିବା ଡାକ୍ତର ଓ କର୍ମଚାରୀମାନେ ମନଇଚ୍ଛା ମେଡ଼ିକାଲକୁ ଆସୁଛନ୍ତି ଓ କାର୍ଯ୍ୟକରୁଥିବା ଦେଖିବାକୁ ମିଳୁଛି । ଫଳରେ ଶହ ଶହ ରୋଗୀ ସଠିକ୍ ଭାବେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି । ଅପର ପକ୍ଷରେ ଦୀର୍ଘଦିନ ଧରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ଇଂଜେକ୍ସନ୍ ମିଳୁନଥିବାରୁ ବହୁ ଦୂରଦୂରାନ୍ତରରୁ ଆସୁଥିବା ରୋଗୀମାନେ ଇଂଜେକ୍ସନ୍ ନପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ସାଲେପୁର ଭଳି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରପାଇଁ ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ନିଯୁକ୍ତ କରିବାପାଇଁ ଦାବି ହୋଇଛି । ଓଡ଼ିଶା ସମାଚାର