ଭୁବନେଶ୍ୱର ,୨୭/୦୭/୨୦୧୯(ଓଡ଼ିଶା ସମାଚାର)- ଗତ ୨୫ ତାରଖ ସନ୍ଧ୍ୟାରେ ବର୍ଷାପାଣିରେ ଡ୍ରେନ୍ରେ ଭାସିଯାଇ ମୃତ୍ୟୁବରଣ କରିଥିଲେ ଏକାମ୍ରଭିଲ୍ଲା ସନ୍ନିକଟ ସାଲିଆ ସାହି ଆଦିବାସୀ ବସ୍ତିର ବୃଦ୍ଧା ଟି. ଅକାମ୍ମା । ଉକ୍ତ ନିର୍ଦ୍ଦିଷ୍ଟ ଘଟଣାସ୍ଥଳକୁ ୨୬.୭.୧୯ରିଖ ମଧ୍ୟାହ୍ଣ ସମୟରେ ପରିଦର୍ଶନ କରିଥିଲେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚର ବରିଷ୍ଠ ସଦସ୍ୟଗଣ । ଏହି ଟିମ୍ରେ ଥିଲେ ମଂଚ ଅଧ୍ୟକ୍ଷ ଅବସରପ୍ରାପ୍ତ ଇଞ୍ଜିନିୟର ଇନ୍ ଚିଫ୍ ତଥା ସଚିବ ଡଃ ନନ୍ଦନନ୍ଦନ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ, ବରିଷ୍ଠ ଆଇନ୍ଜୀବୀ ସୁଧୀର ଚରଣ ମହାନ୍ତି, ଗୌରପ୍ରସାଦ ମିଶ୍ର, ଉପାସନା ରାଓ, ଲଗ୍ନାଦୀପା ମିଶ୍ର, ଆଇନ୍ଜୀବୀ ଅଭୟ ରାଉତ, କାମିନୀ ସାମନ୍ତରାୟ । ଘଟଣାସ୍ଥଳ ପରିଦର୍ଶନ କଲା ପରେ ଟିମ ନିମ୍ନ ନିର୍ଣ୍ଣୟରେ ଉପନୀତ ହେଲା (୧) ଘଟଣାସ୍ଥଳଟି ଏକାମ୍ର ପାର୍କ ରୋଡ଼ରେ ଅବସ୍ଥିତ ‘ଏକାମ୍ର ଭିଲ୍ଲା ଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ ଓ ଏହି ରାସ୍ତାଟି ହଠାତ୍ ଘଟଣାସ୍ଥଳ ବାମକୁ ମୋଡ଼ି ଯାଇଛି ଓ ସାଲିଆ ସାହିରୁ ଅସୁଥିବା ନାଳଟି ଏହିଠାରେ ଏକତ୍ରିତ ହୋଇ ଡ଼ାହାଣପଟକୁ ତଥା ସାଲିଆ ସାହି ଛକ ଆଡ଼କୁ ଯାଇଛି । ଏହି ସ୍ଥାନରେ ରାସ୍ତା ଉପରେ ନାଳ ଉପରେ କେତୋଟି ସିମେଣ୍ଟ ସ୍ଲାବ ପଡ଼ିଅଛି ଯେଉଁଠାରେ କି କଙ୍କ୍ରିଟ ଢଳେଇ ହେବା କଥା (୨) ବାମ ପଟରୁ ଆସୁଥିବା ନାଳ ଉପରେ ୩/୪ ଖଣ୍ଡ ସ୍ଲାବ ପଡ଼ିଛି ଓ ମୁଖ୍ୟ ରାସ୍ତାଟି ଖେଲାହୋଇ ମାଟି ଗଦା ହୋଇଥିବାରୁ ବାମ ପାଖରେ ଉକ୍ତ ସ୍ଲାବ ଉପର ଦେଇ ଲୋକମାନେ ଓ ଗୋଟିଏ ଗୋଟିଏ ଦୁଇଚକିଆ ଯାନ ଯିବା ଆସିବା କରିବାକୁ ସକ୍ଷମ । କିନ୍ତୁ ଅତ୍ୟଧିକ ପାଣି ଆସିବା ସମୟରେ ଜଣେ ବ୍ୟକ୍ତି ଉକ୍ତ ସ୍ଲାବ ଉପର ଦେଇ ଗଲେ ସ୍ଲାବ କେଉଁଠି ସରଛି ଦୃଷ୍ଟିଗୋଚର ନହୋଇ ସ୍ୱତଃ ସାଲିଆସାହି ପାଣି ଆସୁଥିବା ନାଳରେ ଡାହାଣକୁ ଥିବା ନଳା ଭିତରକୁ ଟାଣି ହୋଇଯିବ ଯାହାକି ଉକ୍ତ ବୃଦ୍ଧାଙ୍କ କ୍ଷେତ୍ରରେ ଘଟିଛି । (୩) ଉକ୍ତ ଘଟଣାସ୍ଥଳରେ ନାଳର ଅବସ୍ଥିତି ତଥା ରାସ୍ତା ଖୋଳା ହୋଇଥିବା ନେଇ ବିଏମ୍ସି ଇଞ୍ଜିନିୟର ବା ଠିକାଦାର କୌଣସି ଲାଲ ଚିହ୍ନ ବା ବାରିକେଡ଼ ଲଗାଇ ନାହାଁନ୍ତି । (୪) ଉକ୍ତ ସ୍ଥାନରୁ ଡ଼ାହାଣକୁ ଯାଇଥିବା ନାଳ ରାସ୍ତା ଆରପଟରୁ ଗୋଟିଏ ୩ ମହଲା ଘରୋଇ ଅନୁଷ୍ଠାନ (ହଷ୍ଟେଲ) ଦ୍ୱାରା ଅବରୋଧ କରାଯାଇଛି ଏବଂ ତା ପରଠାରୁ ସାଲିଆସାହି ଛକ ଆଡ଼କୁ ଯେଉଁ ନାଳଟି ଯାଇଛି ସେଇଟି ମଧ୍ୟ କଚା ନାଳ ଓ ଅନେକ ଜାଗାରେ ମାଟିକୁଦ, ମଇଳା ଦ୍ୱାରା ନାଳର ରାସ୍ତାକୁ ଅବରୋଧ କରୁଛି । ଏଣୁ ନାଳରେ ପାଣି ଠିକ୍ ଭାବେ ନିସ୍କାସନ ହୋଇନପାରି ଘଟଣାସ୍ଥଳରେ ପାଣି ଜମି ଯାଉଛି । (୫) ଉକ୍ତ ସ୍ଥାନରେ ୪/୫ଟି ସ୍ଲାବ ବ୍ୟତୀତ ନାଳ ଉପରେ ସ୍ଲାବ ପଡ଼ିନାହିଁ । ନାଳର ଅବସ୍ଥିତିକୁ ଜାଣିବା ପାଇଁ ସେଠାରେ ନାଲି ପତାକା (ରସି) ବା ଗାର୍ଡ଼ ପୋଷ୍ଟ ନାହିଁ । (୬) ବିଏମ୍ସିର ଅଧିକାରୀ ଓ ଠିକାଦାର ଏସବୁ ଅବ୍ୟବସ୍ଥା ପାଇଁ ଦାୟୀ ଓ ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ ।
ଏହିପରି ଦୁର୍ଘଟଣା ୨୦୧୫ ମସିହାରୁ ଘଟୁଛି ଓ ଖୋଲା ଡ୍ରେନରେ ଭାସିଯାଇ ଅନେକଙ୍କ ପ୍ରାଣ ଗଲାଣି ତଥାପି ବିଏମ୍୍ସିର ଚେତା ପଶୁନି । ଏଣୁ ମଂଚରଞ୍ଚ ଦାବି ଜଣାଇଛି ଯେ ରାଜ୍ୟ ସରକାର ଡ୍ରେନ୍ ମରାମତି, ସ୍ଲାବ ଯୋଗାଣ ଓ ଡ୍ରେନ୍ ସଫେଇ ସହ ଉକ୍ତ ଡ୍ରେନ୍ ଉପରେ ହୋଇଥିବା ଅବରୋଧକୁ ତୁରନ୍ତ ହଟାନ୍ତୁ । ମଂଚର ସବୁ ସଭ୍ୟମାନେ ନିଜର ଶ୍ରମ ଦାନ କରି ମାଟି ଓ ଇଟା ପକାଇ ଉକ୍ତ ସ୍ଥାନର ଯିବା ଆସିବା ରାସ୍ତାକୁ ଚଉଡ଼ା କରିଥିଲେ ଓ ଶେଷରେ ସ୍ୱର୍ଗୀୟା ବୃଦ୍ଧାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ସାଲିଆସାହିର ମୃତ ବୃଦ୍ଧାଙ୍କ ‘ମରଣଯନ୍ତା ସ୍ଥାନ’ ପରିଦର୍ଶନ କଲେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚର କର୍ମକର୍ତା