ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଚଳିତ ବର୍ଷ ଓଡିଶା ମେଡିକାଲ କର୍ପୋରେସନ ୬୨୫ କୋଟି ଟଙ୍କାର ସାମଗ୍ରୀ ଖରିଦ କରିବ । ଏଥିରେ ୩୦୦ କୋଟି ଟଙ୍କାର ଔଷଧ ଥିବାବେଳେ ୨୫୦ କୋଟି ଟଙ୍କାର ଡାକ୍ତରୀ ଯନ୍ତ୍ରପାତି ସହିତ ସାଜ ସରଞ୍ଜାମ ଓ ଖୁସି ଯୋଜନାରେ ୭୫ କୋଟି ଟଙ୍କାର ସାନିଟାରୀ ନାପକିନ ଖରିଦ କରାଯିବ ।
ନିଗମର ୨୩ତମ ବୋର୍ଡ ବୈଠକରେ ଏହି ନିଷ୍ପତିି ହୋଇଛି । ବୋର୍ଡର ଅଧ୍ୟକ୍ଷ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡଙ୍ଗୀଙ୍କ ସମେତ ସ୍ୱାଧୀନ ନିର୍ଦ୍ଦେଶକ ବୃନ୍ଦ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ୨୦୧୮-୨୯ବର୍ଷରେ ନିଗମରେ ହୋଇଥିବା ବିଭିନ୍ନ ଖର୍ଚ୍ଚ ସଂକ୍ରାନ୍ତରେ ବୈଠକରେ ଆଲୋଚନା ସହିତ ତାହା ସର୍ବସମ୍ମତକ୍ରମେ ଅନୁମୋଦନ ଲାଭ କରିଥିଲା । ଆଗାମୀ ଦିନରେ ଔଷଧ ନିଗମର କାର୍ଯ୍ୟକୁ ଆହୁରି କ୍ରିୟାଶୀଳ କରିବା ସହିତ ଔଷଧ ଖରିଦ ପ୍ରକ୍ରିୟାକୁ କିଭଳି ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରାଯିବ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଠିକଣା ସମୟରେ ବିଭିନ୍ନ ଡାକ୍ତରଖାନା ଗୁଡିକରେ ଯେଭଳି ଆବଶ୍ୟକୀୟ ଔଷଧ ପହଂଚିପାରିବ ସେଥିପ୍ରତି ଧ୍ୟାନ ଦିଆଯିବାକୁ ବୈଠକରେ କୁହାଯାଇଛି ।
ଏହି ଅବସରରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ରାଜ୍ୟ ଔଷଧ ନିଗମ ମଧ୍ୟରେ ୨୦୧୯-୨୦ ବର୍ଷ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭାଗୀୟ କମିଶନର ତଥା ଶାସନ ସଚିବ ଡାକ୍ତର ମେହେର୍ଦ୍ଦା ଓ ଔଷଧ ନିଗମ ପକ୍ଷରୁ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଷଡଙ୍ଗୀ ରାଜିନାମାରେ ସ୍ୱାକ୍ଷରିତ କରିଛନ୍ତି । ରାଜିନାମା ଅନୁଯାୟୀ ରାଜ୍ୟ ସରକାରଙ୍କର ଏକ ଦାୟିତ୍ୱପୂର୍ଣ୍ଣ ଓ ବିଶ୍ୱସନୀୟ ଏଜେଂଟ ଭାବରେ ଔଷଧ ନିଗମ ଗୁଣାତ୍ମକ ଔଷଧ ସଂଗ୍ରହକରି ଯୋଗାଇଦେବା ସହିତ ଏକ ସ୍ୱଚ୍ଛତା ଉପାୟରେ ଏହା ଖରିଦ କରିବ । ସେସବୁ ଗୁଡିକ ବୈଜ୍ଞାନିକ ଉପାୟରେ ମହଜୁଦ ରଖିବା ସହିତ ଆବଶ୍ୟକ ମୁତାବକ ଠିକଣା ସମୟରେ ତାହାକୁ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗୁଡିକୁ ଯୋଗାଇଦେବ । ସେହିପରି ଡାକ୍ତରୀ ଯନ୍ତ୍ରପାତି, ସାଜ ସରଞ୍ଜାମ ଓ ଅନ୍ୟାନ୍ୟ ଭିତିଭୂମି ଆଦି ସରକାରଙ୍କୁ ଯୋଗାଇବାବେଳେ ଗୁଣାତ୍ମକ ଓ ମିତବ୍ୟୟିତା ଅବଲମ୍ବନ କରିବ । ଓଡ଼ିଶା ସମାଚାର
