Wednesday , October 4 2023
Breaking News
Home / ବିଶେଷ / ଧନ୍ୟବାଦ ମହାପ୍ରଭୁ – ଶ୍ରୀ ଅଖଣ୍ଡ

ଧନ୍ୟବାଦ ମହାପ୍ରଭୁ – ଶ୍ରୀ ଅଖଣ୍ଡ

ଇଶ୍ୱରଙ୍କୁ କଣ କେହି ସହଜରେ ବର୍ଣ୍ଣନା କରିପାରେ । ସେ ଶବ୍ଦବ୍ରହ୍ମ, ସେ ଦାରୁବ୍ରହ୍ମ । ତାଙ୍କୁ ବ୍ୟକ୍ତ କରିହୁଏ ନାହିଁ । ତେଣୁ ସେ ଅବ୍ୟକ୍ତ । କିନ୍ତୁ ବ୍ୟକ୍ତ କରିବା ଲୋକ ତାଙ୍କର ଅପରୂପ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଥାଏ । କିଏ କେତେ ପ୍ରକାରେ ମହାପ୍ରଭୁଙ୍କୁ ଦର୍ଶନ କରିଥାଏ । କବିମାନେ ଏହାକୁ ସୁନ୍ଦର ଭାବେ ବିଭିନ୍ନ ସ୍ଥାନରେ ଲେଖିଛନ୍ତି । ଭକ୍ତମାନଙ୍କ କିମ୍ବଦନ୍ତୀରେ ମଧ୍ୟ ଏସବୁର ଆଲେଖ୍ୟ ରହିଛି । ଅବ୍ୟକ୍ତ ହେଲେ ମଧ୍ୟ ଭକ୍ତ ନିଜ ଅନୁଭବରେ ତାଙ୍କୁ ବ୍ୟକ୍ତ କରେ । ପ୍ରକୃତରେ ଭକ୍ତ ପାଇଁ ଭଗବାନ କେବେ ଅବ୍ୟକ୍ତ ନୁହଁନ୍ତି । ଭକ୍ତ ପ୍ରଭୁଙ୍କୁ ବ୍ୟକ୍ତ କରିବା ଜାଣିଛି ଓ ପ୍ରଭୁଙ୍କୁ ଅନୁଭବ କରିବା ଜାଣିଛି । ସେଇଥିରେ ହିଁ ତାର ଜୀବନ ଆନନ୍ଦରେ କଟିଥାଏ । ଅନନ୍ତ ବ୍ରହ୍ମାଣ୍ଡ ମଣ୍ଡଳ ପ୍ରଭୁଙ୍କ ଗର୍ଭରେ ରହିଛି । ସମୁଦ୍ର, ପର୍ବତ, ନଦନଦୀ, ବନଅରଣ୍ୟ ଆଦି ସତେ ପ୍ରଭୁଙ୍କ ଲୋମମୂଳରେ ବ୍ୟାପି ରହିଛି । ସାରା ବିଶ୍ୱକୁ ଊଦ୍ଭାବନ କରିଥିବା ପ୍ରଭୁଙ୍କ ଆକାର କେତେ ବଡ ସତେ ! କିଏ କଳନା କରିବ ! ବିଶ୍ୱରୂପ ଧାରଣ କରିଥିବା ପ୍ରଭୁଙ୍କ ସ୍ୱରୂପ ହେଉଛି ଅଖଣ୍ଡ ଓ ଅନନ୍ତ । କିନ୍ତୁ ଭକ୍ତ ପାଇଁ ସେ ଭକ୍ତର ହୃହୟରେ ହିଁ ବାସ କରନ୍ତି । ତାଙ୍କ ନାମ ଧାରଣ କରି ହିଁ ସେ ବିଶ୍ୱରୂପକୁ ଅନୁଭବ ଓ ଦର୍ଶନ କରିପାରେ । ଆମ ପାଇଁ କେବେ ଅନ୍ତିମ ସମୟ ହେବ, ତାହା କିଏ କହିବ ? ତେଣୁ ଭକ୍ତ ସବୁବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ମନନ ସ୍ମରଣ କରୁଥାଏ ଓ ମୋକ୍ଷ ପ୍ରାପ୍ତିର ଦ୍ୱାର ଆଡକୁ ଅଗ୍ରସର ହେଉଥାଏ । ଆପଣଙ୍କର ଏ ପ୍ରସ୍ତୁତି ଅଛି କି ନାହିଁ ? ନା ଆପଣ ସବୁ ସରିବା ପରେ ବୃଦ୍ଧାବସ୍ଥାରେ ପ୍ରଭୁ ନାମ ନେବେ ବୋଲି ସ୍ଥିର କରିଛନ୍ତି । ଆପଣ କଣ ଜାଣନ୍ତି ଆପଣ କେତେ ଦିନ ଏ ଧରା ଭୂମିରେ ରହିବେ ? ଇଶ୍ୱରଙ୍କ ମହିମା ସବୁବେଳେ ବିଶ୍ୱରେ ଦୃଶ୍ୟମାନ ହେଉଛି । ଆମେ ଏଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ନାହେଁ କାହିଁକି ? ଆମେ ଏସବୁ ନକରି ମଧ୍ୟ ଆମ ହୃଦୟର ସ୍ୱନ୍ଦନରେ ସେ ଅବସ୍ଥାନ କରୁଛନ୍ତି । ଆମକୁ ମଣିଷ ଜନ୍ମ ଦେଇ ଅନୁଗ୍ରହ କରିଥିବା ଇଶ୍ୱରଙ୍କ ପାଇଁ ଆମର କଣ ଧନ୍ୟବାଦ ଦେବାକୁ ମଧ୍ୟ ସମୟ ହେଉନାହିଁ । ସୂର୍ଯ୍ୟାସ୍ତ ପରେ ଆମେ ନିଦ୍ରା ଯାଉଛେ । ପୁଣି ସକାଳରେ ଉଠୁଛେ । ଉଠିବା ବେଳେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛେ କି ? କାରଣ ସେହି ସମୟ ଭିତରେ କେତେ ଯେ ଲୋକଙ୍କ ପ୍ରାଣହାନି ଘଟିଛି, ତାହା ଆମେ ଖବରରୁ ଜାଣୁଛେ । କିନ୍ତୁ ଆମେ ବଂଚିଛେ । ଭଗବାନଙ୍କୁ କେବଳ ଧନ୍ୟବାଦ ଦେବାରେ ଆମେ କୁଣ୍ଠିତ କାହିଁକି ? କଣ ମଣିଷ ହେବାର ଗର୍ବ ନା ନିଜ ଶକ୍ତି ଓ କ୍ଷମତାର ଅହଂକାର ? ସବୁକଥାରେ ପ୍ରଭୁଙ୍କ ଆଶୀର୍ବାଦ ଓ କୃପାକୁ ଅନୁଭବ କରନ୍ତୁ । ମହାପ୍ରଭୁଙ୍କୁ ଅନୁଭବ ଓ ତାଙ୍କ ନାମ ଉଚ୍ଚାରଣ ଫଳରେ ଆପଣଙ୍କୁ ଅମୃତ ପାଇବାର ଆନନ୍ଦ ମିଳିବ । ଆସନ୍ତୁ ସର୍ବପ୍ରାଣୀଙ୍କ ହିତରେ ଥିବା ଓ ଆମର କୂଳଦେବତା ମହାପ୍ରଭୁ ଜଗନ୍ନାଥଙ୍କ ନାମ ଦୀକ୍ଷା ନେଇ ସବୁବେଳେ ତାଙ୍କରି ମନନ ସ୍ମରଣ କରିବା । ଆମର ସବୁ କାମ ପାଇଁ ତାଙ୍କୁ ହିଁ ଧନ୍ୟବାଦ ଦେବା । ଆମ ଜୀବନରେ ଆସିବ ଦିବ୍ୟତା ।
-୦-
ଦୀକ୍ଷା ମିଶନ, ପିପିଲି, ପୁରୀ
ଫୋନ୍ – ୭୦୦୮୮୧୬୮୯୧
ସୌଜନ୍ୟ : ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *