୪ଟି ବେସରକାରୀ କ୍ଷୁଦ୍ର ପ୍ରକଳ୍ପର ନିର୍ମାଣ ଆଗେଇଛି
ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୩୩ଟି ଜଳବିଦ୍ୟୁତ୍ ପ୍ରକଳ୍ପ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) ପ୍ରସ୍ତୁତି, ପ୍ରାକ୍ ଆକଳନ ବିବରଣୀ ବା ପିଏଫ୍ଆର ପ୍ରସ୍ତୁତି ମଧ୍ୟରେ ଅଟକିଛି ।ଏହା ବାହାରେ ବେସରକାରୀ ଭାବରେ ୪ଟି କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
ବିଧାନସଭାରେ ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ମିଶ୍ରକହିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ପକ୍ଷରୁ୧୪୮୩ ମେଗାୱାଟ କ୍ଷମତା ସଂପନ୍ନ ୨୯.୪୧ କୋଟି ଟଙ୍କା ବ୍ୟୟରେ ୫ଟି ଜଳବିଦ୍ୟୁତ ପ୍ରକଳ୍ପ ହାତକୁ ନିଆଯାଇଛି ।ତେବେ ସେହି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ଡିପିଆର ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ମନ୍ତ୍ରୀ କହିଥିଲେ ।
ବେସରକାରୀ ଭାବେ୬୬ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ନିମନ୍ତେ ୪ଟି କ୍ଷୁଦ୍ର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି ।ସେହିପରି ବେସରକାରୀ ଭାବେ ଗତ ୧୦ ବର୍ଷରେ ୯ଟି କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।ଓଡ଼ିଶା ସବୁଜ ଶକ୍ତି ନିଗମ ପକ୍ଷରୁ୧୬ଟି ପ୍ରକଳ୍ପ ପାଇଁ ପିଏଫ୍ଆର ଓ ଡିପିଆର ପ୍ରସ୍ତୁତି କରାଯାଇଥିବାବେଳେ ଆହୁରି ୩ଟି ପ୍ରକଳ୍ପ ନିମନ୍ତେ ଡିପିଆର ପ୍ରସ୍ତୁତି କାର୍ଯ୍ୟ ସରିଥିବା ମନ୍ତ୍ରୀସୂଚନା ଦେଇଥିଲେ । ଓଡ଼ିଶା ସମାଚାର