ଭୁବନେଶ୍ୱର,୨୭/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ପୁରୁଣା ଭୁବନେଶ୍ୱରସ୍ଥିତ ଆଶ୍ୱାସ ସଂଗଠନର ୨୦ତମ ବାର୍ଷିକ ଉତ୍ସବ ଜୟଦେବ ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ ଘଟିକାରେ ପ୍ରାରମ୍ଭିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରି ଉଦ୍ଘାଟନୀ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ‘ନାଇଜର’ର ରେଜିଷ୍ଟ୍ରାର ଡ. ଅଭୟ କୁମାର ନାୟକ ଯୋଗଦେଇ ଆଶ୍ୱାସ ଅନୁଷ୍ଠାନ ଏବଂ ସ୍କୁଲ୍ର ପିଲା ତଥା ଉପସ୍ଥିତ ସୁଧିବୃନ୍ଦଙ୍କୁ ସୁନ୍ଦର କଥାମାନ କହିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ମନ୍ଦାକିନୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାହିତ୍ୟସ୍ରଷ୍ଟା ସମ୍ମାନପ୍ରଦାନ ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚୟନ କରି ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀମାନଙ୍କୁ ସାହିତ୍ୟ ସ୍ରଷ୍ଟା ଏବଂ ଅନନ୍ୟ ସମାଜସେବୀ-୨୦୧୯ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆଶ୍ୱାସ ସ୍କୁଲ୍୍ର ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ପରିଶେଷରେ ଆଶ୍ୱାସ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଫକୀର ମୋହନ ସେନାପତିଙ୍କ ଲିଖିତ ଏବଂ ଅକ୍ଷୟ ମହାନ୍ତିଙ୍କ ସ୍ୱର ସଂଯୋଜନାରେ ପେଟେଂଟଣ୍ଟ ମେଡ଼ିସିନ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା ।
ତତସହିତ ଆଧୁନିକ ନୃତ୍ୟ ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନିତ ହୋଇଥିବା ବ୍ୟକ୍ତିମାନେ ହେଲେ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ଅନନ୍ୟ ସମାଜସେବା ସମ୍ମାନ-୨୦୧୯ ଡ଼କ୍ଟର ଶକୁନ୍ତଳା ବଳିଆରସିଂହ, ଅନନ୍ୟ ଅନୁବାଦକ ସମ୍ମାନ-୨୦୯୧୯ ଶ୍ରୀମତୀ ଗୋଲାପ ମଞ୍ଜରୀ କର ଅନନ୍ୟ ଗଳ୍ପ ସମ୍ମାନ-୨୦୧୯, ଡ଼କ୍ଟର ସୁଚେତା ରାଉତ ଅନନ୍ୟ ପ୍ରବନ୍ଧ ସମ୍ମାନ-୨୦୧୯, ଡ଼କ୍ଟର ସୁଷମା ମିଶ୍ର ଅନନ୍ୟ କବିତା ସମ୍ମାନ-୨୦୧୯, ଶ୍ରୀମତୀ ବୀଣାପାଣି ସାହୁ ଅନନ୍ୟ ସାହିତ୍ୟ ସ୍ରଷ୍ଟା ସମ୍ମାନ-୨୦୧୯ ଏବଂ ସୁଶ୍ରୀ ମଞ୍ଜୁଳା ତ୍ରିପାଠୀ ଅନନ୍ୟ ସାହିତ୍ୟ ସ୍ରଷ୍ଟା ସମ୍ମାନ-୨୦୧୯ । ଓଡ଼ିଶା ସମାଚାର