ଭୁବନେଶ୍ୱର ,୨୬/୦୭/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟର ବ୍ଲକ ଓ ସହରାଂଚଳ ସ୍ତରରେ ଯୁବକ ଯୁବତୀମାନଙ୍କୁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଉପଲବ୍ଧ ସରକାରୀ ସୁବିଧା ସୁଯୋଗ ସମ୍ବନ୍ଧରେ ସଚେତନା ସୃଷ୍ଟି କରିବା ନିମନ୍ତେ ସଚେତନତା ଶିବିର କର୍ମଶାଳା ଆୟୋଜନ କରାଯାଉଛି । ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ପରିଚାଳନାଗତ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ ଦିଆଯାଉଛି । ବ୍ୟାଙ୍କ ସ୍ତରୀୟ ଋଣ ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟାଙ୍କର ୪୬୭ଟି ସ୍ୱତନ୍ତ୍ର ଶାଖା ଚିହ୍ନଟ କରାଯାଉଛି । ଜିଲ୍ଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ପ୍ରକଳ୍ପ ବିବରଣୀ ପ୍ରସ୍ତୁତିରେ ସହାୟତା ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ମଞ୍ଜୁରୀ ସୁପାରିଶ କରାଯାଉଛି । ସିଙ୍ଗିଲ୍ ୱିଣ୍ଡେ ମାଧ୍ୟମରେ ପ୍ରକଳ୍ପ ଅନୁମୋଦନ ଜିଲ୍ଲାସ୍ତରରେ ଗଠିତ ସୁଗମ କୋଷ ମାଧ୍ୟମରେ ସୁପାରିଶ କରାଯାଇ ଜିଲ୍ଲାସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ସେଲ୍ ମାଧ୍ୟମରେ ଅନୁମୋଦନ କରାଯାଉଛି । ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟୋଗୀମାନଙ୍କୁ ପ୍ରାକ୍ ପ୍ରତିଷ୍ଠା, ଉଦ୍ୟୋଗୀ କ୍ରମାଙ୍କ, କାର୍ଯ୍ୟକାରୀ ପ୍ରସ୍ତାବ ଓ ଉତ୍ପାଦନ ପ୍ରମାଣପତ୍ର ସହିତ ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ଶିଳ୍ପନୀତି ୨୦୧୫, ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଉନ୍ନୟନ ନୀତି ୨୦୧୬, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬, ଓଡ଼ିଶା ଷ୍ଟାଟପ୍ ନୀତି ୨୦୧୬ ଅନୁଯାୟୀ ପ୍ରୋତ୍ସାହନ ଯୋଗାଇ ଦେବାସହ ବିକ୍ରିବଟା ପାଇଁ ସୁବ୍ୟବସ୍ଥା ସମେତ ଶିଳ୍ପପୁଞ୍ଜକୁ ସାଧାରଣ ସୁବିଧା କେନ୍ଦ୍ର ମାଧ୍ୟମରେ ସହାୟତା ପ୍ରଦାନ କରାଯାଉଛି । ଏହା ବ୍ୟତୀତ ପି.ଏମ୍.ଜି.ପି. ଯୋଜନାରେ ଅଣୁ ଶିଳ୍ପ ସ୍ଥାପନା ନିମନ୍ତେ ହିତାଧିକାରୀଙ୍କ ଋଣ ବାବଦକୁ ସବ୍ସିଡ୍ ଯୋଗାଇ ଦିଆଯାଇ ରୋଜଗାର ସୁଯୋଗ ସୃଷ୍ଟି କରାଯାଉଛି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ଲିଖିତ ପ୍ରଶ୍ନ ସଂଖ୍ୟା ୨୧୬୬ ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଉତର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର