ଭାରତୀୟ ଭାଷାକୁ ଜ୍ଞାନ ଓ ବିକାଶର ଭାଷା କରିବାପାଇଁ ଜାତୀୟ ଶିକ୍ଷାନୀତିରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ
ଭୁବନେଶ୍ୱର,୨୪/୦୭/୨୦୧୯(ଓଡ଼ିଶା ସମାଚାର)- ଓଡିଆଭାଷାର ଶାସ୍ତ୍ରୀୟ ମାନ୍ୟତାପାଇଁ କେନ୍ଦ୍ରିୟ ଭାଷା ବିଶେଷଜ୍ଞ କମିଟିର ସୁପାରିଶ ଦିବସ ସ୍ମରଣ ଉଦ୍ଦେଶ୍ୟରେ ଷଷ୍ଠତମ ଭାଷା ଗୌରବ ଦିବସ ଉପଲକ୍ଷେ ପୁସ୍ତକ ଉନ୍ମୋଚନ ଓ ଜାତୀୟ ଶିକ୍ଷାନୀତିରେ ଭାଷାର ଭୂମିକା ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଜାତୀୟ ଅଭିଲେଖାଗାର ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିରଂଜନ ପାଣିଗ୍ରାହୀ ଉଦଘାଟନ କରି କହିଥିଲେ ଯେ, ଗୋଟିଏ ଭାଷାର ବିକାଶ ସେହି ଭାଷାର ଚିନ୍ତାଶୀଳ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ । ଶାସ୍ତ୍ରୀୟତାରେ ଭାଷା ବଂଚିନ ଥାଏ, ବଂଚିଥାଏ ଏହାର ବ୍ୟବହାରରେ । ଶାସ୍ତ୍ରୀୟତା ଏହାର କେବଳ ବାହ୍ୟ ଉପଚାର, ଯାହା ସାଧାରଣ ମଣିଷଠାରେ ଭାଷା ପ୍ରତି ମମତା ଓ ଆବେଗ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଆଣିଛି । ଶାସ୍ତ୍ରୀୟତାର ସ୍ମରଣପାଇଁ ରାଜ୍ୟ ସରକାର ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ଭାବରେ ପାଳନ କରୁଛନ୍ତି । ସମ୍ମାନୀତ ଅତିଥି ଭାବରେ ଆମେରିକାର ହାବାର୍ଡ ବିଶ୍ୱବିଦ୍ୟାଳୟର ରସାୟନ ବିଭାଗ ପ୍ରଫେସର ଡକ୍ଟର ବିଜୟ ମୋହନ ମିଶ୍ର ଭାଷା ସହିତ ଭାବକୁ ଆତ୍ମିୟତାର ସହିତ ଯୋଡିଲେ ହିଁ ତାହା ଜ୍ଞାନରେ ପରିଣତ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଉପାଧ୍ୟକ୍ଷ ଡକ୍ଟର ସିପ୍ରା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଓଁକାରନାଥ ମହାନ୍ତି, ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ବାବାଜୀ ପଟ୍ଟନାୟକ, ପ୍ରଫେସର ବସନ୍ତ କୁମାର ମଲ୍ଲିକ, ଡକ୍ଟର ସୁପ୍ରିୟା ମଲ୍ଲିକ, ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର, ବିଶିଷ୍ଟ ସାମ୍ବାଦିକ ରବି ଦାସ ପ୍ରମୁଖ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାର ଆରମ୍ଭରେ ଅନୁଷ୍ଠାନ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ଭାଷାଗୌରବ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ପ୍ରାକ୍ତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋଙ୍କଦ୍ୱାରା ରଚିତ “ହିନ୍ଦୁବାଦ ଓ ଶ୍ରୀଜଗନ୍ନାଥ”, ପ୍ରଫେସର ନଟବର ଶତପଥୀଙ୍କଦ୍ୱାରା ରଚିତ “ଭାଷା ବିମର୍ଶ” ଓ ଡକ୍ଟର ସୁବ୍ରତ ପୃଷ୍ଟିଙ୍କଦ୍ୱାରା ରଚିତ “ଶାସ୍ତ୍ରୀୟଭାଷା ଓଡିଆ” ନାମକ ତିନୋଟି ବହି ମୁଖ୍ୟ ଅତିଥିଙ୍କଦ୍ୱାରା ଉନ୍ମୋଚିତ ହୋଇଥିଲା । ଉକ୍ତ ବହିକୁ ସମୀକ୍ଷା କରିଥିଲେ ଡକ୍ଟର ହରିହର କାନୁନଗୋ, ଡକ୍ଟର ସୁପ୍ରିୟା ମଲ୍ଲିକ, ଡକ୍ଟର ଅନନ୍ତ କିଶୋର ଜେନା ଓ ଡକ୍ଟର ଲଲାଟେନ୍ଦୁ ଦାସ ମହାପାତ୍ର । ସଭାକାର୍ଯ୍ୟକୁ ସୁବ୍ରତ ପୃଷ୍ଟି, ବ୍ରଜେନ୍ଦ୍ର ପ୍ରସାଦ ଦାସ, ନିରଦ ବରଣ ଖୁଂଟିିଆ ପ୍ରମୁଖ ପରିଚାଳନା କରିଥିବାବେଳେ ପ୍ରଫେସର ନଟବର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର