ଭୁବନେଶ୍ୱର, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଓଡ଼ିଶାରେ ୨୨ ଗୋଟି ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରିବା ପାଇଁ ଅଧିସୂଚନା ଜାରି କରି ସାରିଛନ୍ତି । ତନ୍ମଧ୍ୟରୁ ୧୬ ଗୋଟି ଗ୍ରାମ ନ୍ୟାୟାଳୟକୁ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକ୍ଷମ କରି ସାରିଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ବିଧାୟକ ଅନନ୍ତ ଦାସଙ୍କ ଗ୍ରାମ ନ୍ୟାୟାଳୟର ବିଚାର କ୍ଷମତା ସମ୍ପର୍କିତ ଏକ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଲେ କାର୍ଯ୍ୟକ୍ଷମ ନ୍ୟାୟାଳୟ ମାନଙ୍କରେ ନିଯୁକ୍ତ ପୀଠାସୀନ ଅଧିକାରୀ, ଗ୍ରାମ ଅଧିକାରୀମାନେ ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ବର୍ଗର ବିଚାର ବିଭାଗୀୟ ଅଧିକାରୀ ହୋଇଥାନ୍ତି । ଉକ୍ତ ଅଧିକାରୀମାନେ ଗ୍ରାମ ନ୍ୟାୟାଳୟ ଆଇନ ୨୦୦୮ ର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଅଧ୍ୟାୟ ଅନୁଯାୟୀ ନିଜର ଦାୟିତ୍ୱ ନିର୍ବାହ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୧୮ ମସିହା ଜାନୁଆରୀ ୧ ତାରିଖ ପରଠାରୁ ୨୦୧୮ ଡିସେମ୍ବର ୩୧ ମଧ୍ୟରେ ରାଜ୍ୟବ୍ୟାପୀ ଏହି ଗ୍ରାମ ନ୍ୟାୟାଳୟମାନଙ୍କ ଦ୍ୱାରା ମୋଟ ୪୩୦୯ଟି ମାମଲା ଫଇସଲା ହୋଇଥିବା ମନ୍ତ୍ରୀ ନିଜ ଉତରରେ ଦର୍ଶାଇଛନ୍ତି । ଓଡ଼ିଶା ସମାଚାର