Friday , September 22 2023
Breaking News
Home / ଶିକ୍ଷା / ‘ମୋ ସ୍କୁଲ’ ଯୋଜନାରେ ଆଉ ୫୦୮ ସ୍କୁଲ ସାମିଲ

‘ମୋ ସ୍କୁଲ’ ଯୋଜନାରେ ଆଉ ୫୦୮ ସ୍କୁଲ ସାମିଲ

ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ପ୍ରକଳ୍ପ ଅଧୀନରେ ୧୬ଟି ଜିଲ୍ଲାରେ ଆଉ ୫୦୮ଟି ସ୍କୁଲର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି । ଏହି ସବୁ ଜିଲ୍ଲାରେ ମୋ ସ୍କୁଲ ଯୋଜନାରେ ସମୁଦାୟ ୫କୋଟି ୮୨ଲକ୍ଷ ୭୬ହଜାର ୫୧୮ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯିବ । ଏଥିରୁ ରାଜ୍ୟ ସରକାର ୩କୋଟି ୮୮ଲକ୍ଷ ୫୧ହଜାର ୧୨ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ବେଳେ ଜନସାଧାରଣଙ୍କଠାରୁ ଅବଶିଷ୍ଟ ପାଙଋି ୧କୋଟି ୯୪ଲକ୍ଷ ୨୫ହଜାର ୫୦୬ଟଙ୍କା ସଂଗୃହୀତ ହୋଇଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବରଗଡ଼, ବଲାଙ୍ଗୀର, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼ ଏବଂ ନବରଙ୍ଗପୁର । ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନର କାର୍ଯ୍ୟର୍ନିବାହୀ ପରିଷଦ ବୈଠକର ନିଷ୍ପତି ଅନୁଯାୟୀ ଉକ୍ତ ଅର୍ଥ ବ୍ୟୟ କରାଯିବ । ପ୍ରକାଶଥାଉ କି, ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ସଦସ୍ୟମାନେ ପୁରୀ ଜିଲ୍ଲାରେ ‘ଫନି’ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ମରାମତି ଲାଗି ୨୦ଲକ୍ଷ ଟଙ୍କା ଅନୁଦାନ ମୋ ସ୍କୁଲ ଯୋଜନାରେ ଯୋଗାଇବାକୁ ପତ୍ର ମାଧ୍ୟମରେ ଆଗ୍ରହ ପ୍ରକାଶ କରିଛନ୍ତି । ଆଗାମୀ ଅକ୍ଟୋବର ମାସ ମଧ୍ୟରେ ଏକ ହଜାର ସ୍କୁଲରେ ପାଠାଗାରକୁ କ୍ରିୟାଶୀଳ କରାଯିବା ସହ ଏଗୁଡିକୁ ପଠନ ପ୍ରୋତ୍ସାହନ କେନ୍ଦ୍ରରେ ପରିଣତ କରାଯିବ । ୫ହଜାର ସ୍କୁଲରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ୫ଟି କାର୍ଯ୍ୟକ୍ରମ କରାଯିବ । ୧୦୦ଟି ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲର ସଫଳ କାହାଣୀ ସଂଗ୍ରହ କରାଯାଇ ସେମାନଙ୍କୁ ସଚେତନ କରାଯିବ । ବିଭିନ୍ନ ଯୋଗାଯୋଗ ବ୍ୟବସ୍ଥା ଓ ୱେବ୍ ପୋର୍ଟାଲ ମାଧ୍ୟମରେ ୨ଲକ୍ଷ ପୂର୍ବତନ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ପ୍ରତିଷ୍ଠା କରାଯିବ । ମୋ ସ୍କୁଲ ଯୋଜନା ରାଜ୍ୟର ସବୁ ହାଇସ୍କୁଲକୁ ସମ୍ପ୍ରସାରଣ କରାଯିବ ଓ ଚଳିତ ବର୍ଷ ଶେଷସୁଦ୍ଧା ୫୦ବର୍ଷରୁ ଅଧିକ ପୁରାତନ ହାଇସ୍କୁଲକୁ ଏହି ଯୋଜନାରେ ସାମିଲ କରାଯିବ । ଏହି ଯୋଜନାରେ ବିଭିନ୍ନ ସ୍କୁଲକୁ ମଞ୍ଜୁର ହୋଇଥିବା କାର୍ଯ୍ୟ ଅକ୍ଟୋବର ୩୧ ସୁଦ୍ଧା ଶେଷ କରାଯିବ । ୧୫ ଅଗଷ୍ଟ ସୁଦ୍ଧା ମୋ ସ୍କୁଲ ଯୋଜନା ଅଧୀନସ୍ଥ ହାଇସ୍କୁଲମାନଙ୍କୁ ୱେବପୋର୍ଟାଲ ସଂଯୋଗ କରାଯିବ ବୋଲି ବ୍ୟବସ୍ଥା ରହିଥିବା ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ମୋ ସ୍କୁଲ ଅଭିଯାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଭୂପେନ୍ଦ୍ର ସିଂ ପୁନିଆ ପ୍ରକାଶ କରିଛନ୍ତି । ଏହି ବୈଠକରେ ପ୍ରାଥମିକ ଶିକ୍ଷା, ଏସ୍ସିଇଆର୍ଟି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମୋ ସ୍କୁଲ ଯୋଜନାର ସ୍ୱତନ୍ତ୍ର ଅଧିକାରୀ, ମୁଖ୍ୟ ପରିଚାଳନା ଅଧିକାରୀ, ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଓସେପା ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ହିସାବ ରକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *