କେନ୍ଦ୍ରାପଡ଼ା / ଭୁବନେଶ୍ୱର ,୨୪/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ର ଭୋଟ ଗଣତି ଆଜି ସକାଳ ସାଢ଼େ ୮ ଟାରେ ଆରମ୍ଭ ହୋଇଛି । ଏହି ଭୋଟ ଗଣତି ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୧୮ ରାଉଣ୍ଡ ଭୋଟ ଗଣତି ହେବ । ଭୋଟ ଗଣତି ପାଇଁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସମର୍ଥ ବର୍ମା,ସାଧାରଣ ପର୍ଯ୍ୟବେକ୍ଷକ ଅମିତ ଚୌଧୁରୀ,ଖର୍ଚ୍ଚ ଅନୁଧ୍ୟାନ ପର୍ଯ୍ୟବେକ୍ଷକ ଦେବାଶିଷ ପଲ, ଅତିରିକ୍ତ ଜିଲାପାଳ ବସନ୍ତ ରାଉତ,ରିଟର୍ଣ୍ଣିଂ ଅଫିସର ତଥା ଡ଼େପୁଟି କଲେକ୍ଟର (ନିର୍ବାଚନ) ସମ୍ବିତ ଶତପଥି ଓ ଗରଦପୁର ବିଡ଼ିଓ ଧରଣୀଧର ବେହେରା ପ୍ରମୁଖ ଗଣତି ପରିଚାଳନା କରୁଥିବାବେଳେ ଜିଲା କାର୍ଯ୍ୟାଳୟ ପକ୍ଷରୁ ୧୮ ଜଣ ମାଇକ୍ରୋ ସୁପରଭାଇଜର,୧୮ ଜଣ ଗଣତି ସହାୟକ,୧୮ ଜଣ ଗଣତି ସୁପରଭାଇଜର,୧୮ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ଏହି ଭୋଟ ଗଣତି ରେ ବର୍ତମାନ ସୁଦ୍ଧା ୭ମ ରାଉଣ୍ଡ ଗଣତି ଶେଷ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୭ମ ରାଉଣ୍ଡ ଗଣତି ରେ ବିଜୁ ଜନତା ଦଳ(ବିଜେଡ଼ି) ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାରତୀୟ ଜନତା ଦଳ (ବିଜେପି) ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୧ ହଜାର ୭୯୧ ଭୋଟରେ ଆଗୁଆ ଅଛନ୍ତି । ୧ମ ରାଉଣ୍ଡ ରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୬,୭୩୫ ଭୋଟ ପାଇଥିବାବେଳେ ୨ୟ ରାଉଣ୍ଡ ରେ ୬,୨୪୫ ଭୋଟ ପାଇଛନ୍ତି । ସେହିପରି ୩ୟ ରାଉଣ୍ଡରେ ୬,୦୭୦ ଭୋଟ ପାଇଥିବାବେଳେ ୪ର୍ଥ ରାଉଣ୍ଡରେ ୬,୧୬୪ ଭୋଟ ୫ମ ରାଣ୍ଡ ରେ ୫,୩୮୬ ଓ ୬ଷ୍ଠ ରାଉଣ୍ଡ ରେ ୬,୦୧୨ ଓ ୭ମ ରାଉଣ୍ଡ ରେ ୫,୪୨୫ ଭୋଟ ପାଇଛନ୍ତି । ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପି ର ପ୍ରାର୍ଥୀ ବିଜୟ ମହାପାତ୍ର ୧ମ ରାଉଣ୍ଡ ରେ ୩,୮୦୮ ଭୋଟ ପାଇଥିବାବେଳେ ୨ୟ ରାଉଣ୍ଡ ରେ ୫,୦୪୩ ଭୋଟ, ୩ୟ ରାଉଣ୍ଡ ରେ ୩,୮୭୧ ଭୋଟ , ୪ର୍ଥ ରାଉଣ୍ଡ ରେ ୫,୦୭୦ ଭୋଟ ପାଇଥିବାବେଳେ ୫ମ ରାଉଣ୍ଡ ରେ ୪,୧୪୪ ଭୋଟ ପାଇଥିବାବେଳେ ୬ଷ୍ଠ ରାଉଣ୍ଡ ରେ ୪,୧୫୩ ଭୋଟ ପାଇଥିବାବେଳେ ୭ମ ରାଉଣ୍ଡ ରେ ୪,୧୬୬ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୭ମ ରାଉଣ୍ଡ ସୁଦ୍ଧା ମୋଟ ୧,୧୦୭ ଭୋଟ ପାଇଥିବାବେଳେ ନୋଟାରେ ୧୭୪ ଭୋଟ ପଡ଼ିଛି ।
ଡ଼େରାବିଶ ବ୍ଲକ୍ ର ୨୬ ଟି ପଂଚାୟତର ୧୪୫ ଟି ବୁଥ , ମାର୍ଶାଘାଇ ବ୍ଲକ୍ ର ୭ ଟି ପଂଚାୟତର ୩୯ ଟି ବୁଥ ଓ ଗରଦପୁର ବ୍ଲକ୍ ର ୧୮ ଟି ପଂଚାୟତର ୧୨୫ ଟି ବୁଥ ରେ ଭୋଟ ଗ୍ରହଣ ହୋଇଥିଲା । ମୋଟ ୨ ଲକ୍ଷ ୪୪ ହଜାର ଭୋଟର ସେମାନଙ୍କର ମତ ଦାନ କରିଥିଲେ । ପ୍ରଥମେ ଡ଼େରାବିଶ ବ୍ଲକ୍ ର ଗଣତି କରାଯାଇଛି । ଏହାପରେ ଗରଦପୁର ବ୍ଲକ୍ ର ଭୋଟ ଗଣି କରାଯିବ ଓ ଶେଷରେ ମାର୍ଶାଘାଇ ବ୍ଲକ୍ ର ଭୋଟ ଗଣତି କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର
Home / ନିର୍ବାଚନ / ଫୋକସ୍ : ପାଟକୁରା ନିର୍ବାଚନ ଭୋଟ ଗଣତି – ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୭ମ ରାଉଣ୍ଡ ଗଣତି ରେ ୧୧,୭୯୧ ଭୋଟରେ ଆଗୁଆ