ମାଛ ଓ ଅଣ୍ଡା ବାହାର ରାଜ୍ୟରୁ ଆମଦାନୀ ହେଉଛି – ୨୦୨୦ ସୁଦ୍ଧା ମଧୁର ମାଛ ଉତ୍ପାଦନରେ ସ୍ୱାବଲମ୍ବୀ ହେବ
ଭୁବନେଶ୍ୱର,୨୪/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ଦୁଗ୍ଧ ଓ ମାଂସ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛି । କିନ୍ତୁ ଚାହିଦା ମୁତାବକ ମାଛ ଓ ଅଣ୍ଡା ଉତ୍ପାଦନ ହୋଇପାରୁନଥିବାରୁ ପଡ଼ୋଶୀ ରାଜ୍ୟମାନଙ୍କରୁ ଆମଦାନୀ କରିବାକୁ ପଡ଼ୁଛି । ତେବେ ୨୦୨୦ ସୁଦ୍ଧା ମଧୁର ମାଛ ଉତ୍ପାଦନରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିବ ବୋଲି ମତ୍ସ୍ୟ ଓ ପଶୁ ସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ବିଧାନସଭାରେ ପ୍ରଶ୍ନକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ସାହୁ ଉପରୋକ୍ତ ସୂଚନା ଦେଇଛନ୍ତିି । ସେ କହିଛନ୍ତି ଯେ ରାଜ୍ୟରେ ଏବେ ଦୈନିକ ୬.୩୩ ହଜାର ମେଟ୍ରିକ ଟନ୍ ପରିମାଣର ଦୁଗ୍ଧ ଓ ୮୬.୧୦ ଲକ୍ଷ ଅଣ୍ଡା ଓ ୦.୫୫୨ ହଜାର ମେଟ୍ରିକ ଟନ୍ ମାଂସ ଆବଶ୍ୟକ । କିନ୍ତୁ ରାଜ୍ୟରେ ଏବେ ଦୈନିକ ୬.୩୩ ହଜାର ମେଟ୍ରିକ ଟନ୍ ପରିମାଣର ଦୁଗ୍ଧ ଓ ୬୪.୨୫ ଲକ୍ଷ ଅଣ୍ଡା ଓ ୦.୨୮୬ ହଜାର ମେଟ୍ରିକ ଟନ୍ ମାଂସ ଓ ୦.୨୬୬ ହଜାର ମେଟ୍ରିକ୍ ଟନ୍ ପରିମାଣର କୁକୁଡ଼ା ମାଂସ ଉତ୍ପାଦିତ ହେଉଛି । ରାଜ୍ୟର ଆବଶ୍ୟକତା ପୂରଣ ପାଇଁ ବାହାର ରାଜ୍ୟରୁ ଆମଦାନୀ କରାଯାଉଛି । ତେବେ ରାଜ୍ୟରେ ଅଣ୍ଡା ଚାହିଦା ମେଂଟାଇବା ପାଇଁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ମାଛ ଉତ୍ପାଦନ ଓ ଚାହିଦା ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଦୈନିକ ୧୬୭୩ ମେଟ୍ରିକ ଟନ୍ ମାଛ ଆବଶ୍ୟକ ।୨୦୧୮-୧୯ରେ ରାଜ୍ୟରେ ଉତ୍ପାଦିତ ହୋଇଥିଲା ୭୫୮୯୬୨ ମେଟ୍ରିକ ଟନ୍ । ରାଜ୍ୟରେ ମଧୁର ମାଛର ଆବଶ୍ୟକତା ମେଂଟାଇବା ପାଇଁ ଗତବର୍ଷ ୪୯୬୦୭ ମେଟ୍ରିକ ଟନ୍ ମାଛ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଆମଦାନୀ କରାଯାଇଥିଲା । ରାଜ୍ୟ ସରକାର ମଧୁର ମାଛ, ଅଣ୍ଡା ଓ କୁକୁଡ଼ା ମାଂସ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ପଦକ୍ଷେପମାନ ନେଇଛନ୍ତିି । ଗତ ଆର୍ଥିକ ବର୍ଷରେ ରାଜ୍ୟରୁ ୫୦୬୬୦୮ ମେଟ୍ରିକ ଟନ୍ ମଧୁର ମାଛ, ୯୪୦୩୩ ମେଟ୍ରିକ ଟନ୍ ଖାରିପାଣି ମାଛ, ୧୫୮୩୨୧ ମେଟ୍ରିକ ଟନ୍ ସାମୁଦ୍ରିକ ମାଛ ଏହିରୂପେ ମୋଟ ୭୫୮୯୬୨ ମେଟ୍ରିକ ଟନ୍ ମାଛ ଉତ୍ପାଦନ ହୋଇଥିଲା ବୋଲି ମନ୍ତ୍ରୀ ଜିଲ୍ଲାୱାରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର