Sunday , October 1 2023
Home / ବିଶେଷ / ଆଦିବାସୀଙ୍କ ପ୍ରତି ଦମନଲୀଳା ପ୍ରତିବାଦରେ ବିକ୍ଷୋଭ

ଆଦିବାସୀଙ୍କ ପ୍ରତି ଦମନଲୀଳା ପ୍ରତିବାଦରେ ବିକ୍ଷୋଭ

କଟକ, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- ଉତର ପ୍ରଦେଶ ସୋନଭଦ୍ର ଜିଲ୍ଲାରେ ଆଦିବାସୀ ଗଣହତ୍ୟା ବିରୁଦ୍ଧରେ ସିପିଆଇ(ଏମ) ନେତୃତ୍ୱରେ ଓଡ଼ିଶା କୃଷକ ସଭା, ଆଦିବାସୀ ଅଧିକାର ମଂଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସରକାର ଆଦିବାସୀଙ୍କ ପ୍ରତି ବୈମାତୃକ ମନୋଭାବ ତଥା ଦମନଲୀଳା ଚଳାଇ ଆସିଛନ୍ତି । ଏଭଳି ଘଟଣା କେବଳ ଉତର ପ୍ରଦେଶରେ ନୁହେଁ ବରଂ ଓଡ଼ିଶାର କଟକ ଜିଲ୍ଳାର ବିଭିନ୍ନ ତହସିଲରେ ମଧ୍ୟ ପରିଲକ୍ଷିତ ହୋଇଛି ବୋଲି ଆୟୋଜିତ ପ୍ରତିବାଦ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସରକାର ଓ ପ୍ରଶାସନ ସର୍ବଦା ଆଦିବାସୀଙ୍କୁ କୋଣଠେସା କରି ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଂଚିତ କରି ଆସିଛନ୍ତି । ଯଦ୍ଦ୍ୱାରା ଦେଶ ସ୍ୱାଧୀନତା ପାଇବାର ୭୨ବର୍ଷ ପରେ ମଧ୍ୟ ଆଦିବାସୀମାନେ ନିଜକୁ ପରାଧୀନ ମନେ କରୁଛନ୍ତି । ସମ୍ପ୍ରତି କେନ୍ଦ୍ରସରକାର ଦଳିତ, ଆଦିବାସୀମାନଙ୍କ ଉପରେ ଯେଉଁ ଅମାନବୀୟ ଦମନଲୀଳା ଚଳାଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିକ୍ଷୋଭକାରୀମାନେ ପ୍ରକାଶ କରିଥିଲେ । ଦଳ ଅଭିଯୋଗ କରିଛି ଯେ, ୨୦୦୬ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ପରେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ମଧ୍ୟରେ ବଂଚିବାର ଆଶା ସଂଚାରିତ ହୋଇଥିଲା । ଜଙ୍ଗଲ ଲୁଟେରା, ପୁଞ୍ଜିପତି, ଅସାଧୁ ବନ ବିଭାଗ କର୍ମଚାରୀ ଓ ଅଧିକାରୀ ଏହି ଆଇନକୁ ଅନ୍ତର ଭିତରେ ଗ୍ରହଣୀୟ ନ ହୋଇପାରିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା । କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ ଜଙ୍ଗଲ ଅଧିକାର ଆଇନକୁ ସଂକୁଚିତ କରିବା ପାଇଁ୧୯୨୭ ଜଙ୍ଗଲ ଅଧିକାର ଆଇନକୁ ସଂଶୋଧନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସରକାର ଏବଂ ପ୍ରଶାସନର ଏହି ମନୋଭାବ ବ୍ୟବସାୟୀ ଗୋଷ୍ଠୀ ଓ ପୁଞ୍ଜିପତିଙ୍କୁ ସହାୟକ ହୋଇଥିଲା । ଦୀର୍ଘ ଦିନ ଧରି ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ପରିବାରଙ୍କୁ ଜମି ଅଧିକାର ନଦେଇ ବଡ଼ବଡ଼ିଆମାନେ ଜବରଦଖଲ କରିଥିବା ନଜିର ରହିଛି । ଲଗାତର ଭାବେ ଜମି ଉପରେ ଲଢ଼େଇ ଲାଗି ରହିଛି । ତେଣେୁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାର ପାରମ୍ପାରିକ ଜଙ୍ଗଲ ଆଇନ ମାଧ୍ୟମରେ ଶବର ପରିବାରଙ୍କୁ ଏବଂ ଜଙ୍ଗଲ ଆଇନ ବଳରେ ଆଦିବାସୀଙ୍କୁ ସେମାନେ ବସବାସ କରୁଥିବା ଜମିର ଘରଡିହର ପଟ୍ଟା ସମେତ ଚାଷ କରୁଥିବା ଜମିର ମାଲିକାନା ପ୍ରଦାନ ପାଇଁ ଦାବି କରାଯାଇଥିଲା । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଓଡ଼ିଶା କୃଷକ ସଭା ଜିଲ୍ଲା ସଭାପତି ମଧୁସୂଦନ ପତି, ସମ୍ପାଦକ ଡମ୍ବରୁଧର ସାହୁ, ଆଦିବାସୀ ଅଧିକାର ମଂଚ ଆବାହକ ଚନ୍ଦ୍ରମୋହନ ମାଝୀ, ସୁନାରାମ ହେମ୍ବ୍ରମ, ଗଣେଶ ସର୍ଦ୍ଦାର, କାର୍ତିକ ସର୍ଦ୍ଦାର, ଗଙ୍ଗା ତିରିଆ, ନାରୀ ନେତ୍ରୀ ଜୟନ୍ତୀ ଗାଗ୍ରେ, ବୁଦୁନି ସଏ, ତୁଳସୀ ଦିଘି ପ୍ରମୁଖ ନେତୃତ୍ୱ ନେଇଥିଲେ । ଜିଲ୍ଲା ସମ୍ପାଦକ ବଦ୍ରୀନାରାୟଣ ଦାସ, ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ, ମହାନଗର ସମ୍ପାଦକ ପ୍ରତାପ ମହାପାତ୍ର, ବିଷ୍ଣୁ ବେହେରା, ଯୁବନେତା ରମେଶ ବେହେରା ପ୍ରମୁଖ ପ୍ରତିବାଦ ସଭାରେ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *