Friday , September 29 2023
Breaking News
Home / ବିଶେଷ / ଅପହୃତ ଛାତ୍ର ନିଆଳୀରୁ ଉଦ୍ଧାର

ଅପହୃତ ଛାତ୍ର ନିଆଳୀରୁ ଉଦ୍ଧାର

ନିମାପଡ଼ା, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- ନିମାପଡ଼ା ପୂର୍ଣ୍ଣେଶ୍ୱର ମନ୍ଦିର ନିକଟସ୍ଥ ଭାରତୀୟ ବିଦ୍ୟା ନିକେତନରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀ ଛାତ୍ର ଅପହରଣ ହୋଇଥିବାବେଳେ ପୁଲିସ ଉକ୍ତ ଛାତ୍ରକୁ ନିଆଳୀରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଶଶୀଭୂଷଣ ରଥ ନାମକ ଜଣେ ଶିକ୍ଷକ ସ୍ଥାନୀୟ ଦେବୀମଣ୍ଡପ ସାହିରେ ୭ବର୍ଷ ଧରି ଭଡ଼ାରେ ରହୁଛନ୍ତି ଏବଂ ତାଙ୍କର ପୁଅ ଶ୍ରେୟାନ୍ ରଥ ସ୍ଥାନୀୟ ସରସ୍ୱତୀ ଶିଶୁମନ୍ଦିରରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରିଥାନ୍ତି । ସୋମବାର ସନ୍ଧ୍ୟାରେ ନିମାପଡ଼ା ଥାନାରେ ପୁଲିସ ଛାତ୍ର ଜଣଙ୍କୁ ଅପହରଣକାରୀଙ୍କ ଠାରୁ ଉଦ୍ଧାର କରି ପଚରାଉଚୁରା କରିଥିଲେ । ଛାତ୍ରଙ୍କ ସୁଚନାକ୍ରମେ ୩ଜଣ ଅଚିହ୍ନା ଯୁବକ ଏକ ମାରୁତି ସୁଜୁକି କାର୍ରେ ଆସି ଶନିବାର ରାତି ୮ଟାରେ ସେ ଟ୍ୟୁସନ୍ ଯାଉଥିବା ବାଟରୁ ତାଙ୍କୁ ଅପହରଣ କରି ନେଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ମୁହଁରେ କଳା କପଡ଼ା ବାନ୍ଧି ତାଙ୍କୁ କାର୍ ଯୋଗେ ଅଜଣା ସ୍ଥାନକୁ ନେଇ ମାଡ଼ମାରିବା ସହିତ ତାଙ୍କ ବାପାଙ୍କୁ ୪୦ଲକ୍ଷ ଟଙ୍କା ମାଗିଥିଲେ । ଶନିବାରରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଅପହରଣକାରୀମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ନେଇ ରଖିବା ସହିତ ପରିବାର ତରଫରୁ ଟଙ୍କା ନମିଳିବାରୁ, ତୋ ପରିବାର ଗରିବ ଲୋକ ହୋଇଥିବାରୁ ତୋତେ ଛାଡ଼ି ଦେଉଛୁ ବୋଲି କହି ନିଆଳୀରେ ଛାଡ଼ି ଦେଇଥିଲେ । ଛାତ୍ର ଜଣଙ୍କ ସେଠାରୁ ତାଙ୍କ ବାପାଙ୍କୁ ଫୋନ୍ରେ ଯୋଗାଯୋଗ କରିବା ପରେ ସ୍ଥାନୀୟ ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ନିମାପଡ଼ା ଥାନାରେ ପଚରାଉଚୁରା କରିବା ସହିତ ଡାକ୍ତରୀ ଯାଂଚ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ତେବେ ଶନିବାର ରାତିରେ ପୁଅ ଟ୍ୟୁସନ୍ରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ସେହି ସମୟରେ ମନ୍ଦିର ପାଶ୍ୱର୍ରୁ ପୁଅର ସାଇକେଲ ପାଇ ପରିବାର ଲୋକ ଭୟଭୀତ ହୋଇଯାଇଥିଲେ । ପରେ ରାତି ୧୧ଟା ୪୦ରେ ଏକ ଅଜଣା ନମ୍ବରରୁ ଶଶୀଭୂଷଣଙ୍କ ମୋବାଲଇକୁ ଫୋନ୍ ଆସିବା ସହିତ ପୁଅକୁ ଅପହରଣ କରାଯାଇଛି ଏବଂ ୪୦ଲକ୍ଷ ଟଙ୍କା ଦେଇ ପୁଅକୁ ଫେରାଇ ନିଅ ବୋଲି ସେମାନେ କହିଥିଲେ । ତେବେ ପିତା ଶଶୀଭୂଷଣ ଏ ସମ୍ପର୍କରେ ରବିବାର ସକାଳେ ଥାନାରେ ଅଭିଯୋଗ କରିବାପରେ ଏସ୍ଡିପିଓ ଶରତ ମିଶ୍ର ଏବଂ ଆଇଆଇସି ଜନାର୍ଦ୍ଦନ ପାଢ଼ୀ ୩ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ସୋମବାର ସନ୍ଧ୍ୟାରେ ନିଆଳୀରେ ଅପହରଣକାରୀମାନେ ଉକ୍ତ ଛାତ୍ରଙ୍କୁ ଛାଡ଼ି ଦେଇଥିବା ଖବରପାଇ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲା । ଅପହୃତ ଛାତ୍ରଙ୍କ ପିତା ପୁଅକୁ ଫେରିପାଇବା ପଛରେ ନିମାପଡ଼ା ପୁଲିସର ଅବଦାନ ବୋଲି କହିବା ସହିତ ଥାନାଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ତେବେ ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *