ଯାଜପୁର, ୨୩/୦୭/୨୦୧୯(ଓଡ଼ିଶା ସମାଚାର)- ସ୍ୱାମୀର ପରକୀୟ ପ୍ରୀତିକୁ ଧରାଇଦେବାରୁ ଶେଷରେ ଜୀବନ ଦେବାକୁ ପଡ଼ିଛି । ଏଭଳି ଘଟଣା ଘଟିଛି ଯାଜପୁୂର ଜିଲ୍ଲାରେ । ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୁଣ୍ଡୁରିପଡ଼ା ଗ୍ରାମର ବିଲସାହି ଠାରେ ଗତ ରବିବାର ରାତିରେ ରୀତା ଦଳାଇ (୨୭) ନାମ୍ନୀ ଜଣେ ନବବଧୂଙ୍କୁ ତଂଟିକାଟି ହତ୍ୟା କରାଯାଇଛି । ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ଧରାପକାଇଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ମୃତ ରୀତାଙ୍କ ବାପଘର ଲୋକେ କହୁଛନ୍ତି । ଖବର ପାଇ ବିଞ୍ଝାରପୁର ଥାନା ଆଇଆଇସି ଶିବ ଚରଣ ବେହେରା, ଯାଜପୁର ଏସ୍ଡିପିଓ ଆର୍ କେ ଜେନା ସାଇଂଟିଫିକ ଟିମ ଓ ଡଗ୍ ସ୍କ୍ୱାଡ ସହିତ ଘଟଣାସ୍ଥଳରେ ପହଂଚି ହତ୍ୟାକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି । ଖବର ଅନୁଯାୟୀ ମଙ୍ଗଳପୁର ଥାନା ଅନ୍ତର୍ଗତ ଶୁଶୁଆ ପଂଚାୟତର ହୀରାପୁର ଗ୍ରାମର ଦାମୋଦର ଦଳାଇଙ୍କ ଝିଅ ରୀତା ଗତ ୪ବର୍ଷ ତଳେ ବିଞ୍ଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡ଼ା ଗ୍ରାମ ବିଲସାହିର ସ୍ୱର୍ଗତ ବୈରାଗୀ ଦଳାଇଙ୍କ ସାନ ପୁଅ ଦିଗାମ୍ବର (୩୧)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ସମସ୍ତ ଯୌତୁକ ଦେଇ ଦାମୋଦର ଝିଅକୁ ଶାଶୂଘରକୁ ପଠାଇଥିଲେ । ହେଲେ ବିବାହ ପରେ ରୀତାର ସ୍ୱାମୀ ଦିଗାମ୍ବର ତାକୁ ବିଭିନ୍ନ ସମୟରେ ମାର୍ଧର କରିବା ସହ ନିର୍ଯାତନା ଦେଇଆସୁଥିଲେ । ଦିଗାମ୍ବରଙ୍କ ସମ୍ପର୍କୀୟା ସହିତ ଅନୈତିକ ସମ୍ପର୍କ ଥିବା ନେଇ ରୀତା ଏକାଧିକବାର ପରିବାର ଲୋକଙ୍କ ଦୃଷ୍ଟିକୁ ଆଣିବା ପରେ ତାକୁ ଶାଶୁଘର ଲୋକେ ଝଗଡ଼ା କରି ଘରୁ ବାହାର କରିଦେଇଥିଲେ । ଫଳରେ ରୀତା ବାପଘରେ ରହୁଥିଲେ । ପରେ ଉଭୟ ଗାଁ ର ଭଦ୍ରଲୋକଙ୍କ ଜରିଆରେ ଏହି ଘଟଣାର ବୁଝାମଣା କରାଯିବାରୁ ୨ମାସ ପୂର୍ବରୁ ରୀତାକୁ ବୁଝାସୁଝା କରି ପୁଣି ଶାଶୂଘରକୁ ଅଣାଯାଇଥିଲା ବୋଲି ମୃତ ରୀତାର ବାପା ଦାମୋଦର ଦଳେଇ ଅଭିଯୋଗ କରିଛନ୍ତି । ରବିବାର ରୀତାର ଯାଆ ଶାନ୍ତିଲତାଙ୍କ ଜନୈକ ସମ୍ପର୍କିୟ ଭାଇ ତାଙ୍କ ଘରକୁ ଆସିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଲିସ ମଧ୍ୟ ଏହି ଦିଗରେ ତଦନ୍ତ ଜାରି ରଖିଛି । ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ସନ୍ଧ୍ୟାରେ ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିବାର ଜଣାପଡ଼ିଛି । ସନ୍ଦେହରେ ପୁଲିସ ରୀତାର ଯାଆ ଶାନ୍ତିଲତା ଓ ଶାଶୁ ଦେବକୀ ଦଳାଇଙ୍କୁ ଅଟକ ରଖି ପଚରାଉଚରା କରୁଛି । ଓଡ଼ିଶା ସମାଚାର