Wednesday , October 4 2023
Breaking News
Home / ବିଶେଷ / ସୂଚନା ଅଧିକାର ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ ‘ଓସା’ର ବିକ୍ଷୋଭ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର

ସୂଚନା ଅଧିକାର ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବିରେ ‘ଓସା’ର ବିକ୍ଷୋଭ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ସୂଚନା ଅଧିକାର ଆଇନ୍କୁ ଅକାମୀ କରିଦେବା ପାଇଁ ଏବଂ ସୂଚନା କମିଶନମାନଙ୍କ ସ୍ୱାଧୀନତା ଓ ସ୍ୱତନ୍ତ୍ରତାକୁ ଖତମ କରିବା କରିଦେବା ପାଇଁ ମୋଦି ସରକାର ସୂଚନା ଆଇନ୍ର ସଂଶୋଧନ ପ୍ରସ୍ତାବ ଆଣିଛନ୍ତି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ କରାଯିବା ସହ ଏହାର ତୁରନ୍ତ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ସୂଚନା ଅଧିକାର ସଂଶୋଧନ ବିଲ୍କୁ ବିରୋଧ କରି ‘ଓସା’ ତରଫରୁ ଲୋୟର ପିଏମ୍ଜିଠାରେ ଏକ ବିକ୍ଷୋଭ ଆୟୋଜନ କରାଯାଇଥିଲା । ଏହି ବିକ୍ଷୋଭରେ ଶତାଧିକ ସୂଚନାଧିକାର କର୍ମୀ ଯୋଗ ଦେଇ ସଂଶୋଧନ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବୀ କରିବା ସହ ସୂଚନା କମିଶନରଙ୍କ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ସୂଚନା ଆଇନ୍ରେ କେନ୍ଦ୍ରୀୟ ସୂଚନା କମି୍ଶନ ଏବଂ ରାଜ୍ୟ ସୂଚନା କମିଶନରମାନଙ୍କର ପଦବୀ, ଚାକିରୀ ସର୍ତାବଳୀ ଏବଂ ଦରମା, ଭତା ବ୍ୟବସ୍ଥାରେ ପରିବର୍ତନ ଆଣିବା ପାଇଁ ଏହି ସଂଶୋଧନ ପ୍ରସ୍ତାବ ଆଣିଛନ୍ତି । ସୂଚନା ଆଇନର ବ୍ୟବସ୍ଥା ଅନୁଯାୟୀ, କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ପଦବୀ ମୁଖ୍ୟ ନିର୍ବାଚନ କମିଶନ ପଦବୀ ସହିତ ସମାନ ହୋଇଥିଲା ବେଳେ କେନ୍ଦ୍ରୀୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନର ପଦବୀ କେନ୍ଦ୍ରୀୟ ନିର୍ବାଚନ କମିଶନର ପଦବୀ ସହିତ ସମାନ ଅଟେ । ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନର ଦରମା, ଭତା, ସୁପ୍ରିମକୋର୍ଟ ବିଚାରପତିଙ୍କ ସହିତ ସମାନ । ତେଣୁ କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ଦରମା ଭତା ସୁପ୍ରିମକୋର୍ଟ ଏବଂ ଚାକିରୀ ସର୍ତାବଳୀ ନିର୍ବାଚନ କମିଶନ ବା ସୁପ୍ରିମକୋର୍ଟ ବିଚାରପତିଙ୍କ ସହିତ ସମାନ ହେବା ଠିକ୍ ନୁହେଁ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇବା ସହ ସୂଚନା କମିଶନମାନଙ୍କର ନିଯୁକ୍ତ ଏବଂ ଚାକିରୀ ସର୍ତାବଳୀ କଣ ହେବ ତାହା କେନ୍ଦ୍ର ସରକାର ସମୟକୁ ସମୟ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଧାରଣ କରିବେ ବୋଲି ସଂଶୋଧନ ପସ୍ତାବରେ ରହିଛି ।
କିନ୍ତୁ କେନ୍ଦ୍ରୀୟ ସୂଚନା କମିଶନ ଏବଂ ରାଜ୍ୟ ସୂଚନା କମିଶନଙ୍କ ପଦବୀ, ଚାକିରୀ ସର୍ତାବଳୀ କ’ଣ ହେବ ତାହା କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି ସୂଚନାଧିକାର କର୍ମୀମାନେ ଦାବି କରିଛନ୍ତି । ସଂଶୋଧନ ପ୍ରସ୍ତାବରେ କେନ୍ଦ୍ର ସରକାର ସମୟକୁ ସମୟ ନିର୍ଦ୍ଧାରଣ କରିବେ ବୋଲି ଯେଉଁ ବ୍ୟବସ୍ଥା ରହିଛି, ଏହାଦ୍ୱାରା ସୂଚନା କମିଶନଙ୍କ ପଦମର୍ଯ୍ୟାଦା ନଷ୍ଟ ହେବ ଏବଂ ସେମାନଙ୍କର ସ୍ୱତନ୍ତ୍ରତା ରହିବ ନାହିଁ । କମିଶନଗୁଡ଼ିକ ସରକାରଙ୍କର ଏକ ଦଲାଲୀ ସଂସ୍ଥାରେ ପରିଣତ ହେବ । ତେଣୁ ଏହି ସଂଶୋଧନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ସୂଚନାଧିକାର କର୍ମୀମାନେ ଦାବି କରିଛନ୍ତି । ଏହି ବିକ୍ଷୋଭରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ ବଟକୃଷ୍ଣ ପ୍ରଧାନ, ରଞ୍ଜୁଲତା ମହାପାତ୍ର, ଦିବାକର ନାୟକ, ଭକ୍ତି ଚରଣ ପଲେଇ, ଅନିଲ୍ କୁମାର ମଲ୍ଲିକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *