ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ଯକ୍ଷ୍ମା ରୋଗୀଙ୍କ ବାସ୍ତବ ସଂଖ୍ୟା ଜାଣିବାପାଇଁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ପରୀକ୍ଷା ବ୍ୟବସ୍ଥା । ଏହି ଗାଡିକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର), କେନ୍ଦ୍ରୀୟ ଯକ୍ଷ୍ମା ଡିଭିଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ ପୂର୍ବ ଏସିଆ ଆଂଚଳିକ ଦପ୍ତର ପକ୍ଷରୁ ସମଗ୍ର ଦେଶରେ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶୁଭାରମ୍ଭ ହୋଇଥିବା ଭ୍ରାମ୍ୟମାଣ ଯକ୍ଷ୍ମା ପରୀକ୍ଷା ଯାନଟି ଓଡିଶା ସମେତ ଝାଡଖଣ୍ଡ ଓ ଛତିଶଗଡରେ କାର୍ଯ୍ୟକରିବ । ଓଡିଶାରେ ଏହି ଯାନ ୧୫ଟି ଜିଲ୍ଲାର ୨୧ଟି ସ୍ଥାନରେ ଯକ୍ଷ୍ମା ଚିହ୍ନଟ ଲାଗି ପରୀକ୍ଷା ନିରୀକ୍ଷା ଚଳାଇବ । ସୂଚନା ଅନୁଯାୟୀ ୮୦୦ ପର୍ଯ୍ୟନ୍ତ ଲୋକ ଥିବା ଜନବସତିରେ ଏହି ଭ୍ରାମ୍ୟମାଣ ଗାଡିଟି ପହଂଚିବା ସହିତ ସେଠାରେ ନମୂନା ପରୀକ୍ଷା କରିବ । ଯକ୍ଷ୍ମା ଚିହ୍ନଟ ଲାଗି ଏହି ଗାଡିରେ ଏକ୍ସ-ରେ ମେସିନ ସହିତ ଅତ୍ୟାଧୁନିକ ସିବିନାଟ ମେସିନ ରହିଛି । ଫଳରେ ଘଟଣାସ୍ଥଳରେ ହିଁ ତକ୍ରାଳ ଯକ୍ଷ୍ମା ଚିହ୍ନଟ ହୋଇପାରିବ । ଏପରିକି ଲୋକଙ୍କ ଦେହରେ ଛପିଥିବା ଯକ୍ଷ୍ମା ରୋଗକୁ ଏହି ମେସିନ ସାହାଯ୍ୟରେ ପ୍ରାରମ୍ଭିକ ଅବସ୍ଥାରେ ଠାବ କରାଯାଇ ପାରିବ । ଓଡିଶାରେ ଏହି ପରୀକ୍ଷା ନିରୀକ୍ଷା କାର୍ଯ୍ୟ ୮ରୁ ୧୦ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ଏହି ଭ୍ରାମ୍ୟମାଣ ପରୀକ୍ଷା ଗାଡି ପାଇଁ ଡାକ୍ତରଙ୍କ ସହିତ ୨୧ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ସେମାନଙ୍କୁ ଆଇସିଏମଆର ଓ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ପକ୍ଷରୁ ତାଲିମ ପ୍ରଦାନ କରାଯିବ । ୧୯୫୬ ମସିହା ପରେ ସମଗ୍ର ଦେଶରେ ଯକ୍ଷ୍ମାର ସ୍ଥିତାବସ୍ଥା ଜାଣିବା ପାଇଁ ଏଭଳି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ମାଧ୍ୟମରେ ଯକ୍ଷ୍ମାରୋଗର କାୟାବିସ୍ତାର ସଂକ୍ରାନ୍ତରେ ପ୍ରକୃତ ତଥ୍ୟ ଜଣାପଡିବ ଏବଂ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ନିରାକରଣ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ତାହା ପୂରଣରେ ବେଶ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ଉଦଘାଟନ ଅବସରରେ ଆରଏମଆରସି, ଭୁବନେଶ୍ୱରର ନିର୍ଦ୍ଦେଶିକା ସଂଘମିତ୍ରା ପତି, ଖୋରଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଖୋରଧା ସିଡିଏମଓ ବିଜୟ କୁମାର ମହାପାତ୍ରଙ୍କ ସମେତ ଆରଏମଆରସି ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର