ମହାନଦୀ ଗଣ୍ଡରେ ୨ ଅଣ୍ଡିରା, ୩ ମାଈ କୁମ୍ଭୀର – ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା ଟ୍ରାନ୍ସମିଟର –
ଅନୁଗୁଳ, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-ଘଡ଼ିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ଠାରେ ଥିବା ମହାନଦୀ ଗଣ୍ଡରେ ରବିବାର ଭୁବନେଶ୍ୱର ନନ୍ଦନକାନନରୁ ଅଣାଯାଇଥିବା ୫ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଛି । ମହାନଦୀର ସାତକୋଶିଆ ଗଣ୍ଡ (ଗଭୀର ଜଳ)ରେ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ପ୍ରକାଶ ଥାଉ କି, ଗତ କିଛି ବର୍ଷ ହେବ ନନ୍ଦନକାନନରେ ଘଡ଼ିଆଳଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୭୪ରେ ପହଂଚିଛି । ଫଳରେ ସେଠାରେ କୁମ୍ଭୀରଙ୍କ ରକ୍ଷଣାବେକ୍ଷଣ ସାଙ୍ଗକୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି ବୋଲି ଘଡ଼ିଆଳଙ୍କ ସହିତ ଏଠାକୁ ଆସିଥିବା ଜନୈକ ପ୍ରାଣୀ ବୈଜ୍ଞାନିକ ପ୍ରକାଶ କରିଛନ୍ତି । ଅନ୍ୟ ପଟରେ ସାତକୋଶିଆର ମହାନଦୀ ଗତ୍ପରେ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ପୂର୍ବରୁ ବହୁ ଚେଷ୍ଟା ହେବା ସହ ଟିକରପଡ଼ାଠାରେ ଏକ ଘଡ଼ିଆଳ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପନ ହୋଇଥିଲା । କିନ୍ତୁ କାଳକ୍ରମେ ଉକ୍ତ କେନ୍ଦ୍ର ବନ୍ଦ ହୋଇଯାଇଥିଲା । କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ ପାଇଁ ଏହି ଘଡ଼ିଆଳ ଗବେଷଣା କେନ୍ଦ୍ର କାର୍ଯ୍ୟକାରୀ ହୋଇପାରି ନାହିଁ । କିଛି ବର୍ଷ ପୂର୍ବରୁ ନନ୍ଦନକାନନରୁ ଘଡ଼ିଆଳ ଛୁଆ ଅଣାଯାଇ ସାତକୋଶିଆର ମହାନଦୀ ଗଣ୍ଡରେ ଛଡ଼ା ଯାଇଥିଲା । କିନ୍ତୁ ଘଡ଼ିଆଳଙ୍କ ବଂଶ ବୃଦ୍ଧି ହେଲାକି ନାହିଁ ତାହାର ଖବର ଅନୁଗୁଳ ବନ୍ୟପ୍ରାଣୀ ବିଭାଗ ପାଖରେ ନାହିଁ । ମହାନଦୀ ଗଣ୍ଡରେ ପୁଣି ଘଡ଼ିଆଳ ବଂଶବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ସହ ରବିବାର ପ୍ରାୟ ୧୮ ମାସ ବୟସର ଦୁଇଟି ଅଣ୍ଡିରା ଓ ତିନୋଟି ମାଈ ଘଡ଼ିଆଳ କୁମ୍ଭୀର ନନ୍ଦନକାନନରୁ ପଶୁ ବୈଜ୍ଞାନିକ ରାଜେଶଙ୍କ ସମେତ ଏକ ତିନିଜଣିଆ ବୈଜ୍ଞାନିକ ଟିମର ତତ୍ୱାବଧାନରେ ଅଣାଯାଇ ଅନୁଗୁଳ ବନ୍ୟପ୍ରାଣୀ ନିରୀକ୍ଷକଙ୍କ ଉପସ୍ଥିତିରେ ଟିକରପଡ଼ାସ୍ଥିତ ମହାନଦୀ ଗଣ୍ଡର ସୁନାଖଣିଆ ନିକଟରେ କୁମ୍ଭୀର ମାନଙ୍କୁ ଗଣ୍ଡର ଗଭୀର ଜଳରେ ଛଡ଼ା ଯାଇଥିଲା । ପରୀକ୍ଷାମୂଳକ ଭାବେ ଛଡ଼ା ଯାଇଥିବା ଏହି କୁମ୍ଭୀରଙ୍କ ଗତିବିଧି ଉପରେ ନଜର ରଖାଯିବା ପାଇଁ ସେମାନଙ୍କ ଦେହରେ ଟ୍ରାନ୍ସମିଟର ଲଗାଯାଇଥିବା କଥା ବୈଜ୍ଞାନିକ ରାଜେଶ ନିତିଦିନ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର